Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର କାର୍ଯ୍ୟରତ ସାମ୍ୱାଦିକଙ୍କୁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନକୁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଠାରେ ଦାବି

ବ୍ରହ୍ମପୁର: ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ସାମ୍ୱାଦିକମାନଙ୍କୁ ପେନସନ ସହିତ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ପ୍ରାୟ 4 ଦଶନ୍ଧି ଧରି ଓଡ଼ିଶାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପେନସନ ପ୍ରଦାନ ସମ୍ପର୍କରେ ବାରମ୍ୱାର ଆଲୋଚନା ହେବା ସହିତ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସ୍ଵର୍ଗତ ବିଜୁ ବାବୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସଭା ସମିତି ଓ ବିଧାନସଭାରେ ସାମ୍ୱାଦିକମାନଙ୍କୁ ପେନସନ ପ୍ରଦାନ କରିବା ସମ୍ପର୍କରେ ବହୁବାର ଆଲୋଚନାହାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସରକାର ସବୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ସାମ୍ୱାଦିକମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି ।
ଚଳିତ ୨୦୨୪ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଇସ୍ତାହାରରେ ସାମ୍ୱାଦିକମାନଙ୍କୁ ସୁବିଧା ସୁଯୋଗ ଦେବା ସମ୍ପର୍କରେ ଘୋଷଣା କରନ୍ତୁ ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ସଭାପତି ରବି ରଥ ଦାବି କରିଛନ୍ତି । ଏଠାରେ ଉଲ୍ଳେଖ କରାଯାଇପାରେ, ନିର୍ବାଚନ ଆଚରଣ ବିଧି ପୂର୍ବରୁ ବିଭିନ୍ନ ସାମ୍ୱାଦିକ ସଂଗଠନ ସେମାନଙ୍କ ମୌଳିକ ସମସ୍ୟା ଯଥା ସାମ୍ୱାଦିକ ସୁରକ୍ଷା ଆଇନ, ବରିଷ୍ଠ ସାମ୍ୱାଦିକମାନଙ୍କୁ ପେନସନ, ଗୋପବନ୍ଧୁ ବୀମାକୁ ୧୦ ଲକ୍ଷକୁ ବୃଦ୍ଧି କରି ସେମାନଙ୍କ ପିତାମାତାଙ୍କୁ ସାମିଲ କରିବା, ଅନ୍ୟାନ୍ୟ ରାଜ୍ୟ ଭଳି ସରକାରୀ ଜମି ଯୋଗାଇଦେବା ଓ ପ୍ରେସ୍‌‍ ଏକାଡ଼େମୀ ଗଠନ ଇତ୍ୟାଦି ଦାବି କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଏ ସମ୍ପର୍କରେ କୌଣସି ଘୋଷଣା କରିନଥିଲେ ଏବଂ ପରବର୍ତ୍ତୀ ସମୟରେ ଆଚରଣ ବିଧି ଲାଗୁ ହୋଇଯାଇଥିଲା। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ସାମ୍ୱାଦିକଙ୍କ ଉପରୋକ୍ତ ସମସ୍ୟା ସମ୍ପର୍କରେ ଘୋଷଣା କରିବେ ବୋଲି ସଂଘ ପକ୍ଷରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ