ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ପାଣ୍ଡିଆନ – ନାଉରୀ ନାଏକ


ସମ୍ବଲପୁର:ଓଡ଼ିଶାରେ ଆୟୁଷ୍ମାନ ଲାଗୁ ନ କରି ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ କଣ୍ଟ୍ରୋଲ ସାଜିଥିବା କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁରବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ଲୋକମାନଙ୍କ ମଧ୍ୟରେ ଭୟ ତିଆରି କରିବାର ଯେଉଁ ହୀନ ରାଜନୀତି ସେ କରୁଛନ୍ତି ତାହାକୁ ଲୋକମାନେ ଜାଣିଛନ୍ତି ଏବଂ ବୁଝିଛନ୍ତି ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାଏକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ।
ସେ କହିଛନ୍ତି ବିଜେଡିରେ ଥିବା କ୍ଷମତାସୀନ ଲୋକମାନଙ୍କୁ ଏବେ ପରାଜୟର ଭୟ ଘାରିଛି । ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ ହେବାର ମନ୍ତବ୍ୟ ପରେ ବିଜେଡିକୁ ପରାଜୟର ଭୟ ଗ୍ରାସିଛି । ଏଥିପାଇଁ ପାଣ୍ଡିଆନ ବାରମ୍ବାର ମିଛ କଥା ଅପପ୍ରଚାର କରୁଛନ୍ତି । ପୂର୍ବ ବର୍ଷ ଏଭଳି ଭାବେ ବିଜେପି କ୍ଷମତାକୁ ଆସିଲେ ଚାଉଳ ବନ୍ଦ କରିଦେବେ ବୋଲି ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ । କିନ୍ତୁ ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସିକ ୫ କେଜି ଚାଉଳର ସମୟ ସୀମାକୁ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଚାଉଳ ମୋଦୀ ସରକାର ଦେଉଥିବା ଲୋକମାନେ ଜାଣିବା ପରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନବୀନ ଓଡ଼ିଶା ବ୍ୟାଗ ସହ ୧ ହଜାର ଟଙ୍କା ଅତିରିକ୍ତ ରାଶି ପ୍ରଦାନ କରିଥିଲେ । ଏଥିରୁ ଜଣାପଡୁଛି କିଏ ମିଛ ଓ ହୀନ ରାଜନୀତି କରୁଛି।
ରେଙ୍ଗାଳି ବିଧାୟକ କହିଛନ୍ତି ଯେ ନବୀନ ବାବୁଙ୍କ ରିମୋର୍ଟ କଣ୍ଟ୍ରୋଲ ପାଣ୍ଡିଆନ ବୋଧେ ଭୁଲି ଯାଉଛନ୍ତି ଏନଏଫଏଚଏସ-୫ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୫୨.୧% ପରିବାର କୌଣସି ସ୍ଵାସ୍ଥ୍ୟ ବୀମା/ଆର୍ଥିକ ଯୋଜନା ଦ୍ୱାରା ଅତି କମରେ ଜଣେ ସଦସ୍ୟ ଅନ୍ତର୍ଭୁକ୍ତ ନହୋଇଥିବା ଜଣା ପଡିଛି । ଓଡ଼ିଶା ସରକାର ୭୦ ଲକ୍ଷ ପରିବାରକୁ ବୀମା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟୁଥିବା ବେଳେ ଏନଏଫଏଚଏସ ରିପୋର୍ଟରେ ରାଜ୍ୟରେ ସ୍ଵାସ୍ଥ୍ୟବୀମା ପ୍ରସାର ଉପରେ କୌଣସି ପ୍ରଭାବ ପଡିନଥିବା ସରକାରୀ ବାବୁଙ୍କ ୧ ନମ୍ବର ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଭାରତୀୟ ଜନତା ପାର୍ଟୀ ଓଡ଼ିଶାରେ କ୍ଷମତା କୁ ଆସିବା ମାତ୍ରେ ହିଁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ମିଳିତ ପ୍ରଚେଷ୍ଟାରେ ଓଡ଼ିଶାର ସମସ୍ତ ଗରିବ ପରିବାରଙ୍କୁ, ଉଭୟ ମହିଳା ଓ ପୁରୁଷଙ୍କୁ, ବର୍ଷକୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବ ।ଏହା ସହ ରାଜ୍ୟରେ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ମଧ୍ୟ ମାଗଣା ସ୍ଵାସ୍ଥ୍ୟବୀମା ଯୋଗାଇବ ଭାରତ ଜନତା ପାର୍ଟୀର ସରକାର। ରାଜ୍ୟରେ ଓ ରାଜ୍ୟ ବାହାରେ ରହୁଥିବା ଏକ କୋଟି ପ୍ରବାସୀ ଓଡ଼ିଆ ମାନେ ଆୟୁଷ୍ମାନ ଭାରତରେ ପଞ୍ଜୀକୃତ ୩୦,୦୭୯ଟି ହସ୍ପିଟାଲ ମଧ୍ୟରୁ ନିଜ ସ୍ଥାନ ଓ ପସନ୍ଦ ଅନୁସାରେ କେଉଁଠିବି ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ ଯୋଜନା ପରି ବେଡ଼ ନପାଇ ଫେରିବାକୁ ବାଧ୍ୟ ହେବେନି ଓଡ଼ିଶା ବାସୀ। ଓଡ଼ିଶାରେ ପ୍ରଚଳିତ ବ୍ୟବସ୍ଥାକୁ ଜାତୀୟ ସ୍ଵାସ୍ଥ୍ୟ ପ୍ରାଧିକରଣ(National Health Authority) ଦ୍ବାରା ପ୍ରଚଳିତ ସୂକ୍ଷ୍ମ ଓ ପ୍ରଭାବଶାଳୀ ନେଟୱାର୍କ୍ ରେ ସାମିଲ କରାଯିବ। ପଞ୍ଜୀକରଣ ଠାରୁ ଆରମ୍ଭ କରି ବିଲିଂରେ ସ୍ପଷ୍ଟତା, ପାରଦର୍ଶିତା ଓ ସ୍ଵଚ୍ଛତା ରହିବ ବୋଲି ସେ ବିଧାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ କଣ୍ଟ୍ରୋଲ ପାଣ୍ଡିଆନ ଓଡ଼ିଶାରେ ୯୮ ପ୍ରତିଶତ ଛାତ୍ରବୃତ୍ତି କଥା କହୁଛନ୍ତି ଯଦି ତା’ ହେଲେ କାହିଁକି ପ୍ରାୟ ୫୦ ପ୍ରତିଶତ ପିଲାମାନେ ପାଠପଢା ସମାପ୍ତ ନକରି କଲେଜ ଛାଡୁଛନ୍ତି ? ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଦାୟିତ୍ୱରେ ଆଜି ଉଚ୍ଚଶିକ୍ଷାରେ ଛାତ୍ରୀଙ୍କ ନାମଲେଖାରେ ୨୦୨୦-୨୧ରେ ୨.୦୧ କୋଟିରୁ ବଢି ୨୦୨୧-୨୨ରେ ୨.୭ କୋଟିକୁ ବୃଦ୍ଧି ହୋଇଛି । ୨୦୧୪-୧୫ରେ ଛାତ୍ରୀଙ୍କ ସଂଖ୍ୟା ୧.୫୭ କୋଟିରେ ଥିବା ବେଳେ ଏବେ ଏଥିରେ ପ୍ରାୟ ୫୦ ଲକ୍ଷ ବା ୩୨ ପ୍ରତିଶତ ବୃଦ୍ଧି ହୋଇଛି । ୧୦ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଷ୍ଟେମ୍ ପାଠ୍ୟକ୍ରମରେ, ନାମଲେଖାରେ ୪୩ ପ୍ରତିଶତ ଝିଅ ଏବଂ ମହିଳା ଅଛନ୍ତି – ଯାହା କି ବିଶ୍ୱରେ ସର୍ବାଧିକ । ତେଣୁ ବିଜେଡି ସହ ଜଡିତ ଥିବା ଲୋକମାନେ ମିଛରୁ ଦୂରେଇ ରହିବା ପାଇଁ ସେ ତାଗିଦ୍ କରିଛନ୍ତି ।