ବିଜେଡିରୁ ଇସ୍ତଫା ଦେଲେ ଡା.ରାସେଶ୍ବରୀ ପାଣିଗ୍ରାହୀ, କହିଲେ- ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି


ସମ୍ବଲପୁର: ଶେଷରେ ବିଜୁ ଜନତା ଦଳରୁ ସମସ୍ତ ସଂପର୍କ ଛିନ୍ନ କରିଛନ୍ତି ସମ୍ବଲପୁର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ । ଆଜି ସେ ରାଜ୍ୟ ସାଧାରଣ ସଂପାଦିକା ପ୍ରଣବ ପ୍ରକାଶ ଦାଶଙ୍କ ମଧ୍ୟବର୍ତ୍ତିତାରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।

ସମ୍ବଲପୁର ବିଧାନସଭା ଆସନରେ ତାଙ୍କର ଭଲ ସଂଗଠନ ଥାଇବି ପ୍ରାର୍ଥୀ ନକରିବାରୁ ତାଙ୍କ ସମର୍ଥକ ମହଳରେ ଘୋର ନୈରାଶ୍ୟ ଦେଖାଦେଇଥିଲା।ଏହାର ଦୃଢ଼ ପ୍ରତିବାଦ କରି ନିଜର ଉପସ୍ଥିତି ଜାହିର କରିବା ସତ୍ତ୍ୱେ ତାଙ୍କୁ ଟିକଟ ଦିଆନଯାଇ ବିହେଡି ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଆସ୍ଥା ପ୍ରକାଶ କରିଥିଲା। କିନ୍ତୁପ୍ରସନ୍ନ ସମ୍ବଲପୁର ବଦଳରେ ରେଢାଖୋଲ ପାଇଁ ନିଜର ଆଗ୍ରହ ପ୍ରକାଶକୁ ହାଇକମାଣ୍ଡ ପାଖରେ ଯୁକ୍ତି ରଖିବା ଫଳରେ ଶେଷରେ ରେଢାଖୋଲ ଓ ସମ୍ବଲପୁର ପ୍ରାର୍ଥୀ ପରିବର୍ତ୍ତନ ହୋଇ ରୋହିତ  ପୂଜାରୀଙ୍କୁ ସମ୍ବଲପୁର ଆସନ ଦେଇ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ଆସନ ଦିଆଯାଇଥିଲା।

ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରକୁ ଅଣଦେଖା କରାଗଲା। ତାହା ମୋତେ ବାଧିଛି। ଦଳ ଛାଡ଼ିବା ନିଷ୍ପତ୍ତି ପାଇଁ କଷ୍ଟ ଲାଗୁଛି। କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ସମାଜସେବା କରୁଛି। ଆଗକୁ ବି ଏହା ଜାରି ରହିବ। ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି ସେ କହିଛନ୍ତି।