ଡା.ରାସେଶ୍ବରୀ ଙ୍କ ଇସ୍ତଫା ପରେ ବଦଳୁଛି ସମ୍ବଲପୁର ପାଣିପାଗ!

ସମ୍ବଲପୁର:ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁରରେ ଏବେ ହେଭିୱେଟ୍ ଲଢ଼େଇ ଚାଲିଥିବା ବେଳେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଇସ୍ତଫା ସମଗ୍ର ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି । ଡାକ୍ତର ପାଣିଗ୍ରାହୀ ନିଜର ସାଂଗଠନିକ ଦକ୍ଷତା ଓ ତୃଣମୂଳ ସ୍ତରରେ ବିପୁଳ ଜନସମ୍ପର୍କ ଯୋଗୁ ବିଜେଡି କର୍ମୀଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । କିନ୍ତୁ ଆଜି ତାଙ୍କର ଦଳ ଛାଡ଼ିବା ନିଷ୍ପତ୍ତି ବିଜେଡି ନେତୃତ୍ୱକୁ ଏକ ଶକ୍ତ ଝଟକା ଦେଇଛି । ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ଏବେ ବିପର୍ଯ୍ୟୟମୁହାଁ ବିଜେଡି ସଂଗଠନର ଅସଲ ଛବିକୁ ପଦାରେ ପକାଇଦେଇଛି ।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏକ ଅଭିଜ୍ଞ ରାଜନୈତିକ ପରିବାରରୁ ଆସିଛନ୍ତି ଏବଂ ରାଜନୀତି କ୍ଷେତ୍ରରେ ତାଙ୍କ ପରିବାରର ଯଥେଷ୍ଟ ପତିଆରା ରହିଆସିଛି ।ପ୍ରାକ୍ତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ (ଯେ କି ଡାକ୍ତର ପାଣିଗ୍ରାହୀଙ୍କ ଭାଇ) ଏହି ଅଞ୍ଚଳରେ ଭଲ ପତିଆରା ଥିଲା, ଏପରିକି ଦିବଂଗତ ବିଜେଡି ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ପାଣିଗ୍ରାହୀ ପରିବାର ଦ୍ୱାରା ବେଶ୍ ଅନୁପ୍ରାଣିତ ଥିଲେ । ରାସେଶ୍ୱରୀଙ୍କ ସହିତ ଏକ ବିଶାଳ ପୁରୁଣା କଂଗ୍ରେସ ଭୋଟ ବ୍ୟାଙ୍କ ରହିଛି ଯାହା ବିଜେଡ଼ି ସଙ୍ଗଠନ କୁ ବଳ ଯୋଗାଉଥିଲା। ତେଣୁ ଡାକ୍ତର ପାଣିଗ୍ରାହୀଙ୍କୁ ଟିକେଟ ନ ଦେଇ ସମ୍ବଲପୁର ଅଞ୍ଚଳରେ ବିଜେଡି ନିଜର ସାଂଗଠନିକ ପ୍ରଭାବ ହରାଇବା ସହ ଦଳରେ ଯେ “ମାଙ୍କୁ ସମ୍ମାନ”ମିଳେନାହିଁ, ଏକଥାକୁ ପୁଣିଥରେ ପ୍ରମାଣ କରିଛି । ଏହି ଇସ୍ତଫା ଯୋଗୁ ବିଜେଡି ର ଦଳୀୟ କର୍ମକର୍ତ୍ତାମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି ଯାହାଦ୍ୱାରା ସଂଗଠନ ଆହୁରି ଦୁର୍ବଳ ହୋଇପଡ଼ିବା ନେଇ ସ୍ପଷ୍ଟ ସଙ୍କେତ ମିଳୁଛି ।
ପୂର୍ବରୁ ଆଠମଲ୍ଲିକ ବିଧାୟକ ତଥା ଗଣ୍ଡ ସମ୍ପ୍ରଦାୟ ର ନେତା ଶ୍ରୀ ରମେଶ ସାଏ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । କୁଚିଣ୍ଡାର ବିଧାୟକ ଶ୍ରୀ କିଶୋର ନାୟକଙ୍କୁ ଅଣଦେଖା କରାଯାଇ ନୂଆ ଚେହେରାଙ୍କୁ ଦଳ ତରଫରୁ ଟିକେଟ୍ ଦିଆଯାଇଛି । ଶ୍ରୀ କିଶୋର ନାୟକ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ଟିକେଟ ଦିଆ ନଯିବା ଫଳରେ ବିଜେଡିର ଆଦିବାସୀ ବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିଛି । ମୋଟାମୋଟି ଭାବେ କହିବାକୁ ଗଲେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଆଗମନ ପରେ ବିଜେଡି ଏବେ ବ୍ୟାକ୍-ଫୁଟ୍ କୁ ଆସିସାରିଲାଣି ଏବଂ ଖୋଦ୍ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶଙ୍କ ପାଇଁ ଏହା ଏବେ କାଳ ହେବାକୁ ଯାଉଛି । ଜଣେ ସଂଗଠକ ଓ ନେତା ଭାବେ ପ୍ରଣବ ବିଫଳ ହୋଇଛନ୍ତି ଏବଂ ଧର୍ମେନ୍ଦ୍ରଙ୍କ ବିଚକ୍ଷଣ ରଣକୌଶଳ ରେ ସମ୍ବଲପୁରରେ ବଢ଼ିଚାଲିଥିବା ମୋଦୀ ଲହରରେ ଆଗକୁ କ’ଣ ଯେ କହିହେବନି।ଡା.ରାସେଶ୍ୱରୀଙ୍କ ଇସ୍ତଫା କାରଣକୁ ନେଇ ସମ୍ବଲପୁର ଦଳୀୟ ପ୍ରାର୍ଥୀ ଉପରେ ଏହାର ବଡ ପ୍ରଭାବ ପଡିବା ଆଶଙ୍କା କରାଯାଉଛି।ତେବେ ସମୟ କହିବ ଆଗକୁ କ’ଣ ହେବ !
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା କ୍ରମାଗତ ବଢ଼ିବାରେ ଲାଗିଛି ଏବଂ ତୃଣମୂଳ ସ୍ତରରେ ତାଙ୍କର ପ୍ରଚ୍ଛନ୍ନ ଉପସ୍ଥିତି ଓ ବିଶାଳ ଲୋକସମ୍ପର୍କ ଯୋଗୁ ସମ୍ବଲପୁରର ଭୋଟର ଭାଇଭଉଣୀମାନଙ୍କ ଭିତରେ ଦିନକୁ ଦିନ ଉତ୍ସାହ ବଢ଼ିବାରେ ଲାଗିଛି । ଏବେ ସମଗ୍ର ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଦୀଙ୍କ ଗ୍ୟାରେଣ୍ଟି ର ବ୍ୟାପକ ପ୍ରଭାବ ସାଙ୍ଗକୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତି ବିପୁଳ ସମର୍ଥନ ଦେଖିବାକୁ ମିଳୁଛି ।ସେପରି ସ୍ଥଳେ ଧର୍ମେନ୍ଦ୍ର କୌଣସି ଅଞ୍ଚଳକୁ ନଯିବା କାରଣ ରହୁନି।ଦିନ ରାତି ଭୋଟ ଗୋଟାଇବା ନିଶାରେ ମାତିଥିବାରୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ ବୋଲି ସାଧାରଣରେ ବଡ ଚର୍ଚା ଆରମ୍ଭ ହୋଇଛି।