ଏମିତି ଭୁଲ ପୁନର୍ବାର ହେବନି, ଆମେ ସାର୍ବଜନୀନ କ୍ଷମା ମାଗୁଛୁ; ସୁପ୍ରିମକୋର୍ଟଙ୍କ ତାଗିଦ ପରେ ପୁଣି ସରି କହିଲେ ରାମଦେବ


ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ପୁଣି ଥରେ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି । ସେ ପତଞ୍ଜଳି ଆୟୁର୍ବେଦ ସଂପର୍କିତ ଭ୍ରମିତ ବିଜ୍ଞାପନକୁ ନେଇ ପୁନର୍ବାର ଭୁଲ ହେବ ନାହିଁ ବୋଲି ଲେଖିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ପତଞ୍ଜଳି ଖବରକାଗଜରେ ବିଜ୍ଞାପନ ଜରିଆରେ କ୍ଷମା ମାଗିଥିଲା । ତଥାପି ଏହା ଉପରେ ଆପତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।

ନିଃସର୍ତ ସାର୍ବଜନୀନ କ୍ଷମା ଶୀର୍ଷକ ସହିତ ପ୍ରକାଶିତ କ୍ଷମା ପତ୍ରରେ ପତଞ୍ଜଳି ଆୟୁର୍ବେଦ ପକ୍ଷରୁ କୁହାଯାଇଛି ଯେ, ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଚାଲିଥିବା ମାମଲା(ରିଟ୍ ପିଟିସନ ୬୪୫/୨୦୨୨)କୁ ଦୃଷ୍ଟିରେ ରଖି ମୁଁ ଭାରତର ମାନନୀୟ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ/ଆଦେଶର ଅବଜ୍ଞା କିମ୍ବା ପାଳନ ନ କରିଥିବା କାରଣରୁ ବ୍ୟକ୍ତିଗତ ସହିତ କମ୍ପାନୀ ପକ୍ଷରୁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରୁଛୁ ।

ଏହା ମଧ୍ୟ କୁହାଯାଇଛି ଯେ, ୨୦୨୩ ନଭେମ୍ବର ୨୨ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ପାଇଁ ନିଃସର୍ତ କ୍ଷମା ମାଗୁଛୁ । ବିଜ୍ଞାପନ ପ୍ରକାଶିତ କରିବା ନେଇ ଆମେ କ୍ଷମା ମାଗୁଛୁ ଏବଂ ପ୍ରତିଶ୍ରୁତି ଦେଉଛୁ ଯେ, ପୁନର୍ବାର ଏମିତି ଭୁଲ୍ ହେବ ନାହିଁ । ଆମେ ମାନନୀୟ ଅଦାଲତଙ୍କ ନିର୍ଦ୍ଦେଶ ଓ ଆଦେଶକୁ ଗମ୍ଭୀରତାର ସହ ପାଳନ କରିବାର ବଚନ ଦେଉଛୁ । ଆମେ ନ୍ୟାୟାଳୟର ଗରିମା କାଏମ ରଖିବା ଓ ମାନନୀୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ଆଇନକୁ ପାଳନ କରିବାର ପ୍ରତିଶ୍ରୁତି ଦେଉଛୁ ।

ଖାସ୍ କଥା ଏହା ଯେ, ଗୋଟିଏ ଦିନ ପୂର୍ବରୁ ପ୍ରକାଶିତ ବିଜ୍ଞାପନରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାମ ନ ଥିଲା । ଏହାକୁ ନେଇ ଗତକାଲି ଶୁଣାଣି ସମୟରେ ପ୍ରଶ୍ନ ଉଠାଇଥିଲେ ଜଷ୍ଟିସ ହୀମା କୋହଲି ଓ ଜଷ୍ଟିସ ଏ ଅମାନୁଲ୍ଲାଙ୍କ ଖଣ୍ଡପୀଠ । ବିଚାରପତି ପ୍ରଶ୍ନ କରିଥିଲେ ଯେ, କଣ କ୍ଷମା ପତ୍ରକୁ ପ୍ରମୁଖତା ସହ ପ୍ରକାଶିତ କରାଯାଇଥିଲା କି ।