ଆସନ୍ତାକାଲି ଦେଶରେ ୨ୟ ପର୍ଯ୍ୟାୟ ଭୋଟ୍‌, ଓଡିଶାରେ ସରୁନି ପ୍ରାର୍ଥୀ ଘୋଷଣା; ୯-୬-୧୫ରେ ଅଟକିଛି ଅଙ୍କ


ଭୁୁବନେଶ୍ୱର: ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିବା ପରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବାକୁ ଯାଉଛି । କିନ୍ତୁ ଓଡିଶାରେ ପ୍ରାର୍ଥୀ ଘୋଷଣା ସରିନି । ଏବେ ବି ବିଜେଡିର ୬, କଂଗ୍ରେସର ୯ ଓ ବିଜେପିର ୧୫ଟି ସିଟରେ ପ୍ରାର୍ଥୀ ଦେବା ବାକି ରହିଛି । ବିଜେପି-ବିଜେଡି ଛକାପଞ୍ଝା ଭିତରେ ଆଶାୟୀଙ୍କ ଭାଗ୍ୟ ଝୁଲି ରହିଛି । ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ମଧ୍ୟ ଓହ୍ଲାଇ ପାରୁ ନାହାନ୍ତି ।

ବିଶେଷ କରି ୪ଟି ଆସନରେ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଖୋର୍ଦ୍ଧା, ବେଗୁନିଆ, ନୀଳଗିରି, ଭୋଗରାଇ ଆସନରେ ଉଭୟ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରି ପାରି ନାହାନ୍ତି । ପରସ୍ପରର ରଣନୀତିକୁ ଉଭୟ ଦଳ ଅପେକ୍ଷା କରିଥିବା ବେଳେ କଂଗ୍ରେସ ଏହା ଉପରେ ନଜର ରଖିଛି । ଖୋର୍ଦ୍ଧାରେ କଂଗ୍ରେସ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି କାହାକୁ ଟିକେଟ୍ ଦେବ ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । କାରଣ ଆଶାୟୀ ଦୌଡରେ ବାସନ୍ତୀ ମହାପାତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଟିକେଟ୍ ଆଶାରେ ରହିଛନ୍ତି । ସମାନ ଅବସ୍ଥା ବିଜେପି । ଏଠାରେ ଟିକେଟ୍ ପାଇଁ ଆଶାରେ ଅଛନ୍ତି କାଳୁ ଚରଣ ଖଣ୍ଡେଇତରାୟ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତେବେ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଟିକେଟ୍ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପୁଣି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶି ଏହି ଆସନରୁ ଟିକେଟ୍ ପାଇବା ଚକ୍କରରେ ରହିଥିବା କୁହାଯାଉଛି ।

ବିଜେପି ୧୩୨ଟି ସିଟରେ ପ୍ରାର୍ଥୀ ଦେଇଥିବା ବେଳେ ୧୫ ସିଟ୍ ବାକି ରହିଛି । ସେହି ଆସନଗୁଡିକ ହେଉଛି ଖୋର୍ଦ୍ଧା, ବେଗୁନିଆ, କଟକ-ବାରବାଟୀ, ବରୀ, ଭଣ୍ଡାରିପୋଖରୀ, ବାସୁଦେବପୁର, ଭୋଗରାଇ ବସ୍ତା, ନୀଳଗିରି, ହିନ୍ଦୋଳ, ତେଲକୋଇ, ଘଷିପୁରା, ଚମ୍ପୁଆ, ସାଲେପୁର, କେନ୍ଦ୍ରାପଡା । ସେହିପରି କଂଗ୍ରେସ ୧୩୮ଟି ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଟକ-ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ପାଲଲହଡା, ନୀଳଗିରି, ବଡଚନା ଆସନ ଆଦି ୯ଟିରେ ଟିକେଟ୍ ଦେବା ବାକି ରହିଛି ।

ବିଜେଡି ୧୪୧ ସିଟରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ଆଉ ୬ଟି ସିଟ୍ ଖୋର୍ଦ୍ଧା, ବେଗୁନିଆ, ନୀଳଗିରି, ଭୋଗରାଇରେ ଟିକେଟ୍ ଘୋଷଣା ବାକି ରହିଛି । ବିଭିନ୍ନ ସ୍ଥାନରେ ଘମାଘୋଟ ଲଢେଇ ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରଚାର ଜୋରଦାର ଚାଲିଛି । ତେଣୁ ଆଗାମୀ ଦୁଇ ଚାରି ଭିତରେ ସବୁ ଦିନ ନିଜର ଅବଶିଷ୍ଟ ସିଟରେ ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।