ଢେଙ୍କାନାଳ ନୁହେଁ ସମ୍ବଲପୁରରୁ ଲଢି ପାରନ୍ତି ଧର୍ମେନ୍ଦ୍ର ପ୍ରଧାନ, ଏମିତି ରହିଛି ରାଜନୈତିକ ସମୀକରଣ


ସମ୍ବଲପୁର: ରାଜ୍ୟରେ ଏବେ ସଭିଙ୍କ ନଜର ସମ୍ବଲପୁର ଉପରେ ରହିଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରାର ଅବ୍ୟହେତିତ ପୂର୍ବରୁ ଏବଂ ପରେ ଘଟିଥିବା ସାଂପ୍ରଦାୟିକ ଘଟଣାରେ ସମ୍ବଲପୁର ସହରରେ ଭୟର ବାତାବରଣ ଲାଗିରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । କେବଳ ଏ ଘଟଣା ପାଇଁ ନୁହେଁ ବରଂ ଏହାର ରାଜନୈତିକ ଦୃଶ୍ୟପଟ୍ଟ କାରଣରୁ ହିଁ ଏହି ସାଂସ୍କୃତିକ ସହର ଅନେକ ସମୟ ଚର୍ଚ୍ଚାରେ ରହି ଆସିଛି । ପୁଣି ୨୦୨୪ ନିବାଚନକୁ ପାଖାପାଖି ଗୋଟିଏ ବର୍ଷ ସମୟ ବାକି ରହିଛି। ପଶ୍ଚିବ ଓଡିଶାର ପ୍ରମୁଖ ରାଜନୈତିକ କେନ୍ଦ୍ରସ୍ଥଳ କୁହା ଯାଉଥିବା ସମ୍ବଲପୁର ଲୋକସଭା ଆସନ ଏବଂ ବିଧାନସଭା ଆସନକୁ ନେଇ ବିଜେପି ଏବଂ ବିଜେଡି ଶିବିରରେ ସମରସଜ୍ଜା ଆରମ୍ଭ ହୋଇଗଲାଣି । ସବୁଠୁ ଅଧିକ ଚର୍ଚ୍ଚା ଲୋକସଭାକୁ ନେଇ ଲାଗିରହିଛି । ଏହାର କାରଣ ଏହି ସଂସଦୀୟ କ୍ଷେତ୍ରରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟପଟେ ବିଧାୟକ ଜୟନାରାୟଣ ମିଶ୍ର ବିଧାନସଭାରେ ବିରୋଧୀ ଦଳ ନେତା ହେବା ପରଠୁ ସମ୍ବଲପୁର ଆସନର ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବଢି ଯାଇଛି ।

ଉଭୟ ବିଧାନସଭା ଏବଂ ଲୋକସଭା ଆସନ ବିଜେପି କବଜାରେ ରହିଛି । କହିବାକୁ ସମ୍ବଲପୁରରେ ବିଜେପିର ପତିଆରା ରହିଛି । ଏହାକୁ ବଜାୟ ରଖିବା ପାଇଁ ବିଜେପି ଅଂଟା ଭିଡିଲାଣି । ଅନ୍ୟପଟେ ଏଠାରେ ବିଜେପିକୁ ମାତ୍ ଦେବାକୁ ରାଜ୍ୟରେ କ୍ଷମତାସୀନ ବିଜେଡି ସ୍ୱତନ୍ତ୍ର ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛି । ତେଣୁ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ସମ୍ବଲପୁରର ବର୍ତମାନ ସାଂସଦ ଅଛନ୍ତି ନିତେଶ ଗଙ୍ଗଦେବ । କିନ୍ତୁ ଏଥର ତାଙ୍କୁ ଏହି ଆସନରୁ ଟିକଟ୍ ମିଳିବାର ସମ୍ଭାବନା ଯଥେଷ୍ଟ କମ ରହିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଆସନରୁ ନିବାଚନ ଲଢାଇବା ପାଇଁ ଦଳୀୟ ହାଇକମାଣ୍ଡ ବିଚାର କରୁଥିବା ଜଣା ପଡିଛି । କାରଣ ଏହି ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ୩ଟି ବିଜେପି କବଜାରେ ରହିଛି । ଏଠାରେ ବିଜେପିର ଜନାଧାର ଥିବାରୁ ଧର୍ମେନ୍ଦଙ୍କୁ ଏହି ଆସନ ବେଶ ସୁହାଇପାରେ ।

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ଖୋଦ୍ କହିଛନ୍ତି ଯେ, ସେ ଓଡିଶାରେ ଲୋକସଭା ନିର୍ବାଚନ ଲଢିବେ। ମନ୍ତ୍ରୀ ନିଜର ପ୍ରଥମ ଲୋକସଭା ନିର୍ବାଚନ ୨୦୦୪ରେ ଦେବଗଡ ଆସନରୁ ଜିତିଥିଲେ। ଏହି ଆସନ ବର୍ତ୍ତମାନ ସମ୍ବଲପୁର ନିର୍ବାଚନ କ୍ଷେତ୍ରରେ ମିଶି ଯାଇଛି। ସମ୍ବଲପୁର ଲୋକସଭା ସିଟ୍ ବିଜେପି କବଜାରେ ରହିଛି ଏବଂ ଏଠାରେ ପାର୍ଟିର ମଜବୁତ ଜନାଧାର ରହିଛି। ତେଣୁ ସମ୍ବଲପୁରରୁ ଲଢିବା ଧର୍ମେନ୍ଦ୍ରଙ୍କୁ ବେଶ ସୁହାଇପାରେ।

ରାଜ୍ୟ ବିଜେପିର ଉପସଭାପତି ନାଉରୀ ନାୟକ କହିଛନ୍ତି, ପ୍ରଧାନ ଢେଙ୍କାନାଳରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛନ୍ତି। ମାତ୍ର ପାର୍ଟି ତାଙ୍କୁ ସମ୍ବଲପୁରରୁ ଲଢିବାକୁ କହୁଛି, କାରଣ ଏହା ସୁରକ୍ଷିତ ସିଟ୍। ସମ୍ବଲପୁର ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ବିଜେପିର ତିନି ବିଧାୟକ ଅଛନ୍ତି ଏବଂ ଲୋକସଭା ଆସନ ମଧ୍ୟ ବିଜେପି କବଜାରେ ରହିଛି। ଏହା ଧର୍ମେନ୍ଦ୍ରଙ୍କୁ ଲୋକସଭା ନିର୍ବାଚନର ବୈତରଣୀ ପାର କରାଇବାରେ ବଡ ଫ୍ୟାକ୍ଟର ସାବ୍ୟସ୍ତ ହୋଇପାରେ।

ଚଳିତ ବର୍ଷ ଆରମ୍ଭରେ ପ୍ରଧାନ ଢେଙ୍କାନାଳ ଏବଂ ସମ୍ବଲପୁରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ କେନ୍ଦ୍ର ନିକଟରେ ଅନୁରୋଧ କରିଥିଲେ। ପୁଣି ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଦୁଇ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବାରମ୍ବାର ଗସ୍ତ କରି ଏହାର ସଙ୍କେତ ଦେଇଛନ୍ତି ଯେ, ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ନିର୍ବାଚନ ଲଢି ପାରନ୍ତି। ତେବେ ଦେଖିବା ବାକି ରହିଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।