ସମ୍ବଲପୁରକୁ ମିଷ୍ଟର ଇଣ୍ଡିଆ ନେତା ଦରକାର ନାହିଁ ,ରୋହିତ ପୂଜାରୀ

ସମ୍ବଲପୁର:ବିଜୁ ଜନତା ଦଳ ତରଫରୁ ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ୱର ୧୯ ଅର୍ନ୍ତଗତ ଗୋପାଲମାଲ ଠାରେ ପ୍ରଚାର କାର୍ଯ୍ୟକ୍ରମ କରାଯାଇଛି । ସମ୍ୱଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରୋହିତ ପୂଜାରୀ ସଭାରେ ଉଦବୋଧନ ଦେଇ ଭୋଟ ନେବା ପରେ ଉଭାନ ହୋଇଯାଉଥିବା ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ମିଷ୍ଟର ଇଣ୍ଡିଆ ବୋଲି ସମ୍ବୋଧନ କରିଥିଲେ । ସେ କହିଥିଲେ ଆପଣମାନେ ଗତ ନିର୍ବାଚନରେ ସମ୍ୱଲପୁରରେ ବିଧାୟକ ଏବଂ ସାଂସଦ ଭାବରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ହେଲେ ଗତ ୫ ବର୍ଷ ଧରି ସେମାନେ ଉଭାନ ହୋଇଯାଇଥିଲେ । ଲୋକମାନେ ସେମାନଙ୍କ ନାଁ କହିବା ତ ଦୂରର କଥା ସେମାନଙ୍କୁ ଜମା ଦେଖିନାହାଁନ୍ତି ବୋଲି କହିଥିଲେ । ବର୍ତ୍ତମାନ ନିର୍ବାଚନ ଆସିବାରୁ ଘରୁ ବାହାରି ପୁଣି ଭୋଟ ମାଗୁଛନ୍ତି । ତେଣୁ ଚଳିତ ନିର୍ବାଚନରେ ଆମର ମିଷ୍ଟର ଇଣ୍ଡିଆ ଦରକାର ନାହିଁ । ଦୌଡୁଥିବା ବିଧାୟକ ଏବଂ ସାଂସଦ ଦରକାର ବୋଲି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଲୋକମାନଙ୍କୁ କହିଥିଲେ । ବିଧାୟକ ଓ ସାଂସଦଙ୍କ ଅପାରଗତା ହେତୁ ଜନତାଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନି । ସ୍ଥାନୀୟ ଅଞ୍ଚଳରେ କମ୍ୟୁନିଟି ହଲ, ସ୍କୁଲ, ରାସ୍ତା ଏବଂ ଶୌଚାଳୟର ଘୋର ଅସୁବିଧା ରହିଛି । ଯେହେତୁ ବିଧାୟକ ସାଂସଦ ଶୋଇଲେ, ଭୁବନେଶ୍ୱରରେ ରହିଲେ ତେଣୁ ଏ ଅଞ୍ଚଳର ବିକାଶ କେମିତି ହେବ ବୋଲି ରୋହିତ କହିଛନ୍ତି । ଏଥର ନିର୍ବାଚନରେ ଗତଥର ଭଳି ଭୁଲ ନକରି ବିଧାୟକ ଭାବରେ ରୋହିତ ପୂଜାରୀ ଏବଂ ସାଂସଦ ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ଶଙ୍ଖଚିହ୍ନ ଭୋଟ ଦେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିବାବେଳେ ଶହଶହ ସଂଖ୍ୟାରେ କର୍ମୀ ଓ ସମର୍ଥକ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।