ଭୁୁବନେଶ୍ୱର: ରାଜ୍ୟ ସରକାର ଓ ବିଜେଡି ସାଂସଦଙ୍କୁ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ୍ । ବଡ ବାବୁ ଓ ସାନ ବାବୁ ପ୍ରସଙ୍ଗ ଉଠାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁୁବନେଶ୍ୱରର ସାଂସଦ । ଅପରାଜିତା କହିଛନ୍ତି ଜଣେ ସାନ ବାବୁ ବଡ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି । ଓଡିଆ ଅସ୍ମିତା ବିପଦରେ ଅଛି, ଏହା ସମସ୍ତଙ୍କୁ ଅନୁଭବ କଲେଣି । ଓଡିଶାରେ ପ୍ରାକୃତିକ ସଂପଦ ଓ ମାନବ ସଂପଦ ଭରପୂର ହୋଇ ରହିଛି । ଏସବୁ ଦୃଷ୍ଟିରୁ ଓଡିଶା ଦେଶରେ ୧, ୨ କିମ୍ବା ୩ ନମ୍ବର ଭିତରେ ରହିବା କଥା । ମାତ୍ର ମୁଣ୍ଡ ପିଛା ଆୟରେ ଆମେ ଶେଷ ଆଡୁ ପଞ୍ଚମରେ ଅଛନ୍ତି । ୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି ।
କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁନାହିଁ । ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି ମୁଖ୍ୟମନ୍ତ୍ରୀ । ସବୁ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା କଥା । ହେଲେ ସାନ ବାବୁ ଏଠାରେ ବଡ ବାବୁ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ବଡ ବାବୁଙ୍କ ସ୍ଥାନ ନେଇ ପାରିବେ ନାହିଁ । କୌଣସି ରାଜ୍ୟରେ ଏମିତି ବିଚିତ୍ର ସ୍ଥିତି ନାହିଁ ଯାହା ଓଡିଶାରେ ଦେଖିବାକୁ ମିଳୁଛି । କିନ୍ତୁ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଭୋଟ୍ ମାଗୁଛନ୍ତି । ଏହା ପରେ ସାନ ବାବୁ ବୁଲୁଛନ୍ତି । ଭୋଟ୍ ପାଇଥିବା ନେତା ଆଉ ଯାଉ ନାହାନ୍ତି । ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ୍ ସୋର୍ସିଂ କରା ନ ଯାଉ ବୋଲି ଅପରାଜିତା କହିଛନ୍ତି।
ଗତ ୩/୪ ମାସ ହେଲା ବହୁତ ବିଜେଡି ନେତା ବିଜେପିରେ ମିଶିଛନ୍ତି । କାରଣ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ପାରୁ ନାହାନ୍ତି ବୋଲି କହୁଛନ୍ତି । ଏପରିକି ମୁଖ୍ୟ ଶଚିବ, ଡିଜିପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ପାରୁ ନାହାନ୍ତି । ଏହା ସବୁଠୁ ବଡ ଲଜ୍ଜାକର କଥା । ମନ୍ତ୍ରୀ ଓ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ପାରୁ ନାହାନ୍ତି । ସାନ ବାବୁଙ୍କ ବିନା ଅନୁମତିରେ ଦେଖା କରି ପାରୁ ନାହାନ୍ତି ।
ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀ ଏତେ ଖରାରେ କାହିଁକି ଦୁଇଟି ସ୍ଥାନରେ ଲଢୁଛନ୍ତି । ସାନ ବାବୁଙ୍କୁ ବ୍ୟାକ ଡୋର ଏଣ୍ଟ୍ରି ପାଇଁ ଦୁଇଟି ସ୍ଥାନରେ ନବୀନ ବାବୁ ଛିଡା ହୋଇଛନ୍ତି । ଆଉ ରାଜ୍ୟକୁ ତ ମାଫିଆ ଅପରେଟ୍ କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପରେ ୪୨୦୦ କୋଟି ଖର୍ଚ୍ଚ କେମିତି ହେଲା । କିନ୍ତୁ ଭବ୍ୟ ରାମ ନିର୍ମାଣରେ ତ ମାତ୍ର ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ୪୨୦୦ କୋଟିର ତଥ୍ୟ ସାର୍ବଜନୀନ କରାଯାଉ ବୋଲି ଅପରାଜିତା ଦାବି କରିଛନ୍ତି ।