ମେ ୬ରେ ଓଡିଶା ଆସିବେ ମୋଦୀ, କରିବେ ମାରାଥନ ପ୍ରଚାର


ଭୁୁବନେଶ୍ୱର: ଓଡିଶାରେ ଜମିଲାଣି ନିର୍ବାଚନ ପ୍ରଚାର । ରାଜ୍ୟକୁ କେନ୍ଦ୍ରୀୟ ନେତାଙ୍କ ଆଗମନ ହେଲାଣି । ପାରଦ ବଢିବା ସହ ରାଜନୈତିକ ଉଷ୍ଣତା ମଧ୍ୟ ବଢିବାରେ ଲାଗିଛି । ଆଉ ନିଜର ନିର୍ବାଚନୀ ପ୍ରଚାରକୁ ଆହୁରି ଶାଣିତ କରିବା ପାଇଁ ଓଡିଶା ଆସିବେ ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମେ ୬ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଆସୁଥିବା ବୁଧବାର ସୂଚନା ଦେଇଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ଓଡିଶାର ଦକ୍ଷିଣ ଭାଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାରକୁ ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷିଣ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ଦିନରେ ଦୁଇଟି ଲୋକସଭା ସିଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୋଦୀ ପ୍ରଚାର କରିବେ । ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁରରେ ବିଶାଳ ଜନସେବାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦ଟାରେ ବ୍ରହ୍ମପୁରଠାରେ ସମାବେଶ କରିବେ । ଏହା ପରେ ଅପରାହ୍ଣରେ ନବରଙ୍ଗପୁର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାକୁ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

ସୂଚନାଯୋଗ୍ୟ ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରୁ ଓଡିଶାରେ ରାଜ୍ୟ ବିଜେପିର ନିର୍ବାଚନୀ ପ୍ରଚାରର ବିଗୁଲ ବଜାଇଥିଲେ । ଏହା ପରେ ବ୍ରହ୍ମପୁର ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଉଭୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବିଜେପିକୁ ଥରେ ସରକାର ଗଢିବାକୁ ସୁଯୋଗ ଦେବାକୁ ଅପିଲ୍ କରିଥିଲେ । ଏବେ ମୋଦୀଙ୍କ ଘନ ଘନ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ।