ସମ୍ୱଲପୁର:ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ପାନ୍ଥନିବାସ ଠାରେ ବିଜେଡି ମୁଖପାତ୍ର ଡ଼. ଲେନିନ୍ ମହାନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ଏକ ପ୍ରତିକ୍ରିୟା ଦେଇଥିଲେ । ଓଡିଆ ଅସ୍ମିତାର କଥା କହୁଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଧର୍ମେନ୍ଦ୍ରଙ୍କ ଓଡ଼ିଶା ପ୍ରତି ଥିବା ଇର୍ଷା ଓ ଅହଙ୍କାର ଭାବର ଅସଲ ଚିତ୍ର ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିବାରୁ ବିଜେପିର ପ୍ରାଇଭେଟ୍ କୁହାଳିଆ ନେତା ସାଜିଥିବା କିଛି ଦଳଡ଼ିଆଁଙ୍କୁ ଏକଥା ବାଧିଛି । ସନ୍ଧ୍ୟାରେ ଏକ ପ୍ରେସମିଟ କରି ଡ଼. ଲେନିନ ମହାନ୍ତି ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ବିଲବିଲେଇ ହୋଇଛନ୍ତି ପ୍ରମୋଦ ରଥ । ପ୍ରତ୍ୟୁତ୍ତରରେ ବିଜେପି ନେତା ଓ ତାଙ୍କର ବାଚସ୍କରଙ୍କୁ କଡା ସମାଲୋଚନା କରିବା ସହିତ ମୁଁ ଖୋଲା ଡିବେଟ ପାଇଁ ପ୍ରସ୍ତୁତ ବୋଲି ଆହ୍ବାନ କରିଛନ୍ତି ବିଜେଡି ମୁଖପାତ୍ର ଡ଼. ଲେନିନ ମହାନ୍ତି ।
ଆଜି ପୂର୍ବାହ୍ନରେ ଗଣମାଧ୍ୟମ ସମ୍ମୁଖରେ ଡ଼. ଲେନିନ ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ। ଯଦି ସତ୍ ସାହାସ ଅଛି ତାହେଲେ ଆପଣ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଜନସାଧାରଣଙ୍କୁ ରିପୋର୍ଟ ଦେଖାନ୍ତୁ ଯେ ଆପଣ ଆଇଓସିଏଲ୍ ର ଦାୟିତ୍ଵରେ ଥିଲା ସମୟରେ କେତେଜଣ ଓଡ଼ିଆ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ପେଟ୍ରୋଲିୟମ ମନ୍ତ୍ରୀ ଥିଲା ସମୟରେ ଓଡ଼ିଶାକୁ କେତେ ସିଏସଆର୍ ଫଣ୍ଡ ପ୍ରଦାନ କରିଛନ୍ତି । କିନ୍ତୁ ବିଜେପିର କୁହାଳିଆ ପ୍ରାଇଭେଟ୍ ବକ୍ତା ପ୍ରମୋଦ ରଥ ଏହାର ଉତ୍ତର ରଖିବା ପରିବର୍ତ୍ତେ ଅଯଥାରେ ବାଉଳି ହେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଆମେ ଯାହା ଅଭିଯୋଗ କରିଥିଲୁ ତାହା ସତ । ଆଜି ତ ଧର୍ମେନ୍ଦ୍ର ବାବୁଙ୍କ ପ୍ରଚାରରେ ଲାଗିଥିବା ଏକ ଟିଭିର ଉତ୍ତର ଦିଆଯାଇଛି । ବୋଧହୁଏ ଦଳଡ଼ିଆଁ ପ୍ରବକ୍ତା ଟିଭି ନଦେଖି ସାମ୍ବାଦିକ ସମ୍ମିଳନୀ କରିପକାଇଛନ୍ତି ବୋଲି ଡ଼. ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି କହିଥିଲେ ଯେ ମୁଁ ହେଉଛି ବିଜୁ ଜନତା ଦଳର ଜଣେ ଫୁଟ ସୋଲଜର । ଦଳ ଯାହା ନିର୍ଦ୍ଧେଶ ଦେବ ମୁଁ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ମୁଁ ପ୍ରମୋଦ ରଥଙ୍କ ଭଳି ପାର୍ଟି ହୋପର ନୁହେଁ । ନିଜର ସ୍ବାର୍ଥ ପାଇଁ ପ୍ରମୋଦ ବାବୁ କାଲି ପୁଣି ଅନ୍ୟ ଦଳକୁ ଡିଆଁ ମାରିବେ ଏଥିରେ ସନ୍ଦେହ ନାହିଁ । କାରଣ ଆଜି ସାମ୍ବାଦିକ ସମ୍ମିଳନୀ କଲା ସମୟରେ ସେ ୨୦୧୪ ରୁ ୨୦୨୪ କୁ କଂଗ୍ରେସ ର ସମୟ ବୋଲି ଗୁଣଗାନ କରିଛନ୍ତି । ଏଥିରୁ ଯାହା ପ୍ରତୀତ ହେଉଛି ବିଜେଡିରୁ ବିଜେପିକୁ ଗଲା ପରେବି ସେ କୋଣଠେଶା ହୋଇ ରହିଛନ୍ତି । ତେଣୁକରି ବିଜେପି ପ୍ରତି ମନରେ ଥିବା ରୋଷ ଓ କଂଗ୍ରେସ ଦଳରୁ ଥିବା ଆଶା ତାଙ୍କୁ ୭୦ ବର୍ଷ ପଛକୁ ଟାଣି ନେଇଛି ।
ଅପରପକ୍ଷେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଥିଲେ ଆପଣ ମୋ ନେତାଙ୍କ ସହିତ ପରେ ତର୍କ କରିବେ। ପ୍ରଥମେ ମତେ ସାମ୍ନା କରନ୍ତୁ, ମଞ୍ଚ ପ୍ରସ୍ତୁତ ରଖନ୍ତୁ ମୁଁ ଖୋଲା ଡିବେଟ୍ ପାଇଁ ପ୍ରସ୍ତୁତ । ସେ କହିଛନ୍ତି ଯେମିତି ମୋ ନେତା ମତେ ନୋମିନେଟ କରିଛନ୍ତି ଗୋଟେ ଦାୟିତ୍ଵ ଦେଇଛନ୍ତି, ଧର୍ମେନ୍ଦ୍ର ବାବୁ ମଧ୍ୟ ନୋମିନେଟ୍ ହେଇକି ତ ଗୋଟିଏ ପଦବୀ ମଣ୍ଡନ କରିଛନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କହିପାରିବେ କି ସେ ସମ୍ବଲପୁର ପାଇଁ କଣ କରିଛନ୍ତି ? ସମଲେଇ ଯୋଜନାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ ଭବ୍ୟ ହେଲା । ସମଲେଇ ମନ୍ଦିରରେ ଲାଇଟ୍ ଏବଂ ସାଉଣ୍ଡ ସୋ ଭକ୍ତ, ପର୍ଯ୍ୟଟକଙ୍କ ମନ ମୋହୁଛି । ପାନ୍ଥନିବାସ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ପ୍ରଥମ ପସନ୍ଦ ହୋଇଛି । ସେହିଭଳି ଐତିହସ୍ଥଳୀ ରାନୀ ବଖରୀରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ କରାଯାଇ ସମ୍ବଲପୁରୀ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଉଛି । କରୋନା ମହାମାରୀ ପରେ ଡ଼. ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଗଲା । ଏହାର ବର୍ଷେ ମଧ୍ୟରେ ରାଜ୍ୟ ସରକାରଙ୍କ ସର୍ବାଧିକ ଲାଭ ସୃଷ୍ଟିକାରୀ ସଂସ୍ଥା ଭାବରେ ୮ କୋଟି ଟଙ୍କାର ଲାଭ କରିଛି । ଏ କଥା ଧର୍ମେନ୍ଦ୍ର ବାବୁ ଜାଣିବା ଦରକାର ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ୫ଟି ଅଧ୍ୟକ୍ଷଙ୍କ ସହଯୋଗ କ୍ରମେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବା ପାଇଁ ମୁଁ ଦଶବର୍ଷ ଉତ୍କଳ ପ୍ରସଙ୍ଗ ପାଇଁ କାମ କରିଛି । ଧର୍ମେନ୍ଦ୍ର ବାବୁ ଯେଉଁଠି ରିଜେକ୍ଟ ହୋଇଥିଲେ ସେହି ବିଶ୍ୱବିଦ୍ୟାଳୟରେ ମୁଁ ଛାତ୍ର ସଭାପତି ଭାବରେ ଦାୟିତ୍ଵ ତୁଲାଇସାରିଛି । ତେଣୁକରି ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କର ପ୍ରାଇଭେଟ୍ ପ୍ରବକ୍ତା ମୋ ନେତାଙ୍କ ସହିତ ତର୍କ କରିବା ପୂର୍ବରୁ ମତେ ସାମ୍ନା କରନ୍ତୁ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ବାବୁ ଜାଣି ରଖିବା ଦରକାର, ସେ ପ୍ରତିନିଧିତ୍ଵ କରୁଥିବା ବିହାର ଓ ମଧ୍ୟପ୍ରଦେଶ ଠାରୁ ଓଡ଼ିଶା ଢେର୍ ଭଲ ସ୍ଥିତିରେ ଅଛି । ମନ୍ତ୍ରୀ ହେବାର ଲାଳସା ତାଙ୍କୁ ସମ୍ବଲପୁରକୁ ଟାଣି ଆଣିଛି । କିନ୍ତୁ ସେ କହିପାରିବେକି ତାଙ୍କର ଏମପି ଓ ଏମଏଲଏ ସମ୍ବଲପୁରବାସୀଙ୍କ ଦ୍ଵାରା ନିର୍ବାଚିତ ହେବାପରେ କେଉଁଠି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପ୍ରତି ଇର୍ଷାନ୍ଵିତ ହୋଇ ପିଏମ ଆବାସ ଯୋଜନା କାହିଁକି ବନ୍ଦ କଲେ ଯଦିବ ଖର୍ଚ୍ଚର ଏକ ସିଂହଭାଗ ରାଜ୍ୟ ଦେଉଛି । ଧର୍ମେନ୍ଦ୍ର ବାବୁ କହିପାରିବେ କି ଉଜ୍ଜଳା ଯୋଜନାରେ ଗ୍ୟାସ ନେଉଥିବା କେତେଜଣ ମହିଳା ନିୟମିତ ଭାବରେ ଗ୍ୟାସ ଟାଙ୍କି ନେଉଛନ୍ତି । ପ୍ରଶ୍ନ ପଚରାଗଲା ତ, ତେଣୁକରି କଷ୍ଟ ହେଉଛି କି ବୋଲି ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରମୋଦ ରଥଙ୍କୁ ପଚାରିଛନ୍ତି ଡ଼. ଲେନିନ୍ ମହାନ୍ତି । ଆମ ପ୍ରଶ୍ନର ଉତ୍ତର ନଦେଇ ଏପଟସେପଟ ହେବା, ବାଚଲାମୀ କରିବା ସେମାନଙ୍କ ପରିବାପଣିଆ କେତେ ତାହା ସ୍ପଷ୍ଟ କରୁଛି । ଓଡ଼ିଶାର ପ୍ରଗତିରେ କେହି ବାଧକ ସାଜିବା ଧର୍ମେନ୍ଦ୍ର ବାବୁଙ୍କ ପୁରୂଣା ଅଭ୍ୟାସ। ମୁଁ ଆଶା କରେ ବିଜେପି ନେତାଙ୍କ ପ୍ରାଇଭେଟ୍ ବକ୍ତା ସାଜିଥିବା ପ୍ରମୋଦ ବାବୁଙ୍କୁ ଆଗାମୀ ଦିନରେ ଦଳ ଗୋଟିଏ ଭଲ ପଦବୀ ଦେବ । କିନ୍ତୁ ସେ ଯାହାବି କହୁଛନ୍ତି ବୁଝି ବିଚାରି କୁହନ୍ତୁ ଓ ବିଲବିଲେଇ ହୁଅନ୍ତୁ ନାହିଁ । ଆମେ ଯାହା ପଚାରୁଛୁ ତାର ଉତ୍ତର ରଖନ୍ତୁ ବୋଲି ବିଜେଡି ମୁଖପାତ୍ର ଡ଼. ଲେନିନ ମହାନ୍ତି କହିଛନ୍ତି ।
ବିଜେଡି ଅଭିଯୋଗ ପ୍ରଶ୍ନର ଉତ୍ତର ନଦେଇ ବାଉଳି ହେଉଛନ୍ତି ପ୍ରାଇଭେଟ୍ ପ୍ରବକ୍ତା !
