ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଭୁବବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ରାଜ୍ୟର ତିନି ପ୍ରମୁଖ ରାଜେନୖତିକ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରିସାରିଲେଣି । ପ୍ରଚାର ଜୋର ଧରିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ବି ଜୋରସୋରରେ ଚାଲିଛି । ଏହି କ୍ରମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ମାନାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଆସନ ଭାବେ ଆଜି କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିବେ ।

ସୂଚନାଯୋଗ୍ୟ, ଏହା ହେଉଛି ନବୀନଙ୍କ ଦ୍ବିତୀୟ ନିର୍ବାଚନୀ କ୍ଷେତ୍ର । ପୂର୍ବରୁ ନବୀନ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ପହଞ୍ଚିବେ । ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନାମାଙ୍କନ ଭରିବାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।