ଦେହ ବ୍ୟବସାୟ ସନ୍ଦେହରେ ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ନିସ୍ତୁକ ମାଡ଼


ବାଲେଶ୍ବର: ଦେହ ବ୍ୟବସାୟ ସନ୍ଦେହରେ ଦୁଇ ମହିଳାଙ୍କ ସମେତ ଦୁଇ ପୁରୁଷଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଏପରିକି ପୋଲିସ ଉପସ୍ଥିତିରେ ମଧ୍ୟରେ ଚାରି ଅଭିଯୁକ୍ତଙ୍କୁ ମାଡ ମାରିଛନ୍ତି ଲୋକେ । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ।

ମିଳିଥିବା ସୂଚନା ଅନୂସାରେ, ଲକ୍ଷ୍ମୀପାଟଣା ଗାଁ ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିଲା । ସକାଳୁ କୁଡ଼ିଆ ଘରେ ତାଲା ପଡିଥିବା ବେଳେ ଭିତରେ କିଛି ଲୋକ ଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ । ଏହାପରେ ଘରର ତାଲା ଭାଙ୍ଗି ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ବାହାରକୁ ଆଣିବା ସହ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ଭୋଗରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ପୋଲିସ ଗାଡିରେ ବସାଇ ଯିବାକୁ ବାହାରିବା ବେଳେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ପୋଲିସ ଗାଡିରୁ ଘୋଷାଡି ବାହାରକୁ ଆଣିବା ସହ ପୁଣି ମାଡ଼ କରିଥିଲେ । ଏହାସହ ପୋଲିସ ଗାଡିକୁ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ।