ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଖରାକୁ ଗୁଳୁଗୁଳି ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ରାଜ୍ୟରେ ଗତକାଲି ହୋଇଥିବା କାଳବୈଶାଖୀ କିଛି ମାତ୍ରାରେ ଲୋକଙ୍କୁ ଆଶ୍ବସ୍ତି ଦେଇଥିବା ବେଳେ ଆଜି ପୂର୍ବ ଭଳି ଗ୍ରୀଷ୍ମ ପ୍ରବହ ଜାରି ରହିବ ବୋଲି ପାଣିବାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୫ ତାରିଖ ପରେ ରାଜ୍ୟରେ ମାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ହିଟଓ୍ବେଭ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି । ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ଝାରସୁଗୁଡ଼ାରେ ଟାଣ ଖରା ହେବ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
୫ ତାରିଖ ପରେ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହେବା ନେଇ ପାଣିପାଗ ବିଭାଗ ନୁମାନ କରିଛି । ୫ ତାରିଖ ପରେ ଦିନର ତାପମାତ୍ରା ୨ରୁ ୫ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ସୂଚନାଯୋଗ୍ୟ ଗତକାଲି ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ୨୮ ସହରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ଅପରାହ୍ଣରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା । ଫଳରେ ରାଜ୍ୟବାସୀ ଗୁଳିଗୁଳି ଓ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ।