କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଟିଟିଲାଗଡ଼: କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଥିଲେ । ଗତଥର ପରି ଚଳିତ ନିର୍ବାଚନ ବି ନୀବନ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ନବୀନ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଶୋଭାଯାତ୍ରାରେ ଯାଇ ନବୀନ ଆଜି ନାମାଙ୍କନ ଭରିଛନ୍ତି ।

ଭୁବନେଶ୍ବରରୁ ଟିଟିଲାଗଡ଼ ହିଲିକପ୍ଟରେ ଯାଇ ଓହ୍ଲାଇଥିଲେ ନବୀନ । ସେଠାରୁ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଭି.କେ. ପାଣ୍ଡିଆନ, ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ, ବିଜେଡିର ବରିଷ୍ଠ ନେତା ଏୟୁ ସିଂହଦେଓ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି ।

ନବୀନ ଏଥର କାହିଁକି କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଚାହିଁଲେ ତାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ନବୀନ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିବାରୁ ଏହା ପ୍ରଭାବ ପଶ୍ଚିମ ଓଡ଼ିଶା ଉପରେ ପକାଇବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନାମାଙ୍କନ ଭରିବା ପରେ ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।