ଶନିବାର ଓଡିଶା ଆସୁଛନ୍ତି ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା, ୬ରେ ମୋଦୀଙ୍କ ମାରାଥନ ପ୍ରଚାର


ଭୁୁବନେଶ୍ୱର: ପାରଦ ଯେତିକି ଉପରମୁହାଁ ହେଉଛି ନିର୍ବାଚନୀ ପ୍ରଚାର ସେତିକି ଜୋର ଧରିଛି । କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାକୁ ବଢିବାରେ ଲାଗିଛି । ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତି ତାତିକୁ ଆହୁରି ବଢାଇ ଦେଇଛି । ୩ ଦିନରେ ୩ ବିଜେପିର କେନ୍ଦ୍ରୀୟ ନେତାଙ୍କ ଓଡିଶାରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୁୁବନେଶ୍ୱର ଆସୁଛନ୍ତି । ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ଗୋଲକ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମେ ୪ ଓ ୫ ଦିନ ଦୁଇ ଓଡିଶାରେ ରହିବେ । ଭୁୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ସହ ବିଜେପି ସଂପାଦକଙ୍କ ସହ ବୈଠକ କରିବେ । କଟକରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ପୁଣି ୫ ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଭୁୁବନେଶ୍ୱରରେ ଦଳର ପ୍ରମୁଖ ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । କଟକରେ ମଧ୍ୟ ନଡ୍ଡାଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ରହିଛି । ଏହା ପରେ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ମାରାଥନ ପ୍ରଚାର କରିବେ ।

ଏହା ପୂର୍ବରୁ ଜେପି ନଡ୍ଡା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ଆସି ହାଇଭୋଲଟେଜ ପ୍ରଚାର କରିଥିଲେ । ତାଙ୍କ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡିଶାରେ ବିଜେପିର ପ୍ରଚାରର ବିଗୁଲ ଫୁଙ୍କିଥିଲେ । କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସରେ ଓଡିଶା । ଏଥର ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହ ବିଧାନସଭା ନିର୍ବାଚନ ଜିତିବା ପାଇଁ ଦଳ ଅଣ୍ଟା ଭିଡିଛି । ତେଣୁ କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଜେଡିକୁ ଶାଣିତ ସ୍ୱରରେ ହମଲା କରୁଛନ୍ତି ।