ସମ୍ବଲପୁର ସହିତ ଓଡ଼ିଶାର ସେବା ପାଇଁ ତୟାର -ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର:ସମ୍ପୂର୍ଣ୍ଣ ଓଡ଼ିଶା ମୋ ପରିବାର ଓ ସମ୍ବଲପୁର ମୋର ଘର । ଏଠାରୁ ମୁଁ ପ୍ରାର୍ଥୀ ହୋଇଛି । ଏହାର ସବୁ ସୁଃଖ ଦୁଃଖରେ ସାମିଲ ହେବି । ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ମୁଁ ସବୁବେଳେ ଆଗଭର ରହିବି ବୋଲି ଗୁରୁବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ସଂସଦୀୟ କ୍ଷେତ୍ରର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଧାନ ଆଜି ଏକ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଶ୍ରୀ ପ୍ରଧାନ ଗ୍ରୀନପାର୍କ ସ୍ଥିତ ହନୁମାନ ମନ୍ଦିର ଏବଂ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ । ସ୍ଥାନୀୟ କଳାକାରଙ୍କ ବାଦ୍ୟବାଜଣାର ତାଳେ ତାଳେ ସମର୍ଥକଙ୍କ ଗହଣରେ ମା’ ସମଲେଶ୍ୱରୀଙ୍କ ପୀଠରୁ ଶୋଭାଯାତ୍ରା ବାହାରି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡ଼ା, ଝାଡ଼ୁଆପଡ଼ା, ନନ୍ଦପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍ ସୋ’ରେ ସମ୍ବଲପୁରର ବିଜେପି ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କ ସହ ଅନ୍ୟାନ୍ୟ ବିଧାୟକ ପ୍ରାର୍ଥୀ ଏବଂ ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଏଥିରେ ସମ୍ବଲପୁରର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ଅବକୀ ବାର, ୪୦୦ ପାର’, ‘ଏଥର ଦରକାର ବିଜେପି ସରକାର’, ‘ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର’ ନାରା ଦେଉଥିଲେ ସମର୍ଥକ । ସମ୍ବଲପୁର ସହର ରାସ୍ତାର ଅନେକ ସ୍ଥାନରେ ଝୋଟିଚିତା ସହ ପଦ୍ମପୁଲ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ୍ ସୋ’ରେ ଓଡ଼ିଆ ସମାଜ ପ୍ରତି ପ୍ରତିବଦ୍ଧତା ରଖୁଥିବା ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଯୋଗଦେବା ମୋର ଆତ୍ମବିଶ୍ୱାସ ବଢ଼ାଇଛି । ଚଳିତ ନିର୍ବାଚନ ନିର୍ବାଚନ ନୀତି ଓ ପ୍ରସଙ୍ଗ ଉପରେ ହେଉଛି । ଓଡ଼ିଶାର ଓ ଭାରତର ଭବିଷ୍ୟତ ପାଇଁ ନିର୍ବାଚନ ହେଉଛି । ମୁଁ ଏହାର ନିମିତ୍ତ ମାତ୍ର । ଲୋକଙ୍କର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ସହ ସମ୍ବଲପୁରର ମାନ ମର୍ଯ୍ୟାଦାକୁ ବୈଶ୍ୱିକ ସ୍ତରକୁ ନେବା ପାଇଁ ଦାୟିତ୍ୱ ନେବି ବୋଲି କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ଭାବରେ ରାଜନୈତିକ ବାତାବରଣ ଦେଖାଯାଇଛି ଆଜିର ଶୋଭାଯାତ୍ରା ପରିବର୍ତ୍ତନର ଲକ୍ଷଣକୁ ଦର୍ଶାଉଛି । ଦୀର୍ଘ ୨୪ ବର୍ଷ ଶାସନ ପରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସମସ୍ୟା ନେଇ ସ୍ଥାନୀୟ ସରକାର ବିରୋଧରେ ଜନ ଆକ୍ରୋଶ ଦେଖାଯାଇଛି । ଅପରପକ୍ଷରେ ମୋଦୀଙ୍କ ପ୍ରତି ଯେଉଁ ଆସ୍ଥା ହୋଇଛି, ତାହାର ସମ୍ମିଶ୍ରଣରେ ଏକ ଭାବନାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦୀ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଓଡ଼ିଶାରେ ବିକଳ୍ପ ସରକାର ହେବ । ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚୟ ହେବ । ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଓଡ଼ିଆ ଲୋକେ ମନସ୍ଥ କରି ସାରିଛନ୍ତି । ମା’ ସମଲେଇଙ୍କ ଆଶୀର୍ବାଦରେ ଏଥର ବିଜେପି ସରକାର ଦେଶରେ ୪୦୦ ସିଟରୁ ଅଧିକ ଆସନ ହାସଲ କରିବା ସହ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି।ବିକଶିତ ସମ୍ବଲପୁର, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ତଥା ଓଡ଼ିଆ ଅସ୍ମିତାର ଲଢେଇରେ ସାମିଲ ହେବା ପାଇଁ ସୁଯୋଗ ଦେଇଥିବାରୁ ସମ୍ବଲପୁରର ପ୍ରତ୍ୟେକ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ପଦ୍ମଫୁଲରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।ଏହି ସମୟରେ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ପ୍ରଦୀପ ବହିଦାର, ସତ୍ୟ ନାରାୟଣ ପଣ୍ଡା, ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ସାତୋଟି ଯାକ ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, ରବି ନାରାୟଣ ନାୟକ, ଦେବେନ୍ଦ୍ର ମହାପାତ୍ର, ଭାଗିରଥି ବେହେରା, ସଞ୍ଜୀବ ସାହୁ ଙ୍କ ସମେତ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ସିମାଞ୍ଚଳ ଖଟେଇ, ଟଙ୍କଧର ତ୍ରିପାଠୀ, ତିନୋଟି ଯାକ ଜିଲ୍ଲା ସଭାପତି ଗିରିଶ ପଟେଲ, ଅରୁଣ ସାହୁ, ଦିଲେଶ୍ଵର ପ୍ରଧାନ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ରାମ ଚନ୍ଦ୍ର ମେହେର, ଦାମୋଦର କର ପ୍ରମୁଖ ଉପସ୍ଥିତ ଥିଲେ।