ପ୍ରିୟଙ୍କା ଉପ ନିର୍ବାଚନ ଲଢି ଲୋକସଭା ପହଞ୍ଚିଯିବେ, ରାହୁଲଙ୍କୁ ରାୟବରେଲିରୁ ଲଢାଇ ବଡ ସଙ୍କେତ ଦେଲା କଂଗ୍ରେସ !


ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ କୌଣସି ବି ଉପ ନିର୍ବାଚନ ଲଢି ଲୋକସଭା ପହଞ୍ଚିଯିବେ । ଏହା କହିଛନ୍ତି କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ । କଂଗ୍ରେସ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନରେ ଆମେଠି ଓ ରାୟବରେଲିର ପ୍ରାର୍ଥୀ ଘୋଷଣା କରିଛନ୍ତି । ୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କଠୁ ହାରିଥିବା ରାହୁଲ ଗାନ୍ଧୀ ଏଥର ରାୟବରେଲିରୁ ଲଢୁଛନ୍ତି । ଆମେଠିରୁ ସୋନିଆ ଗାନ୍ଧୀଙ୍କ ପ୍ରତିନିଧି କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି । ଦଳର ଏହି ନିଷ୍ପତ୍ତିକୁ ସମର୍ଥନ କରି କଂଗ୍ରେସର ନେତାମାନେ କହୁଛନ୍ତି ଯେ, ରାହୁଲ ଯଦି ନିର୍ବାଚନ ଜିତି ୱାଇନାଡ ପାଇଁ ଆମେଠିକୁ ଛାଡି ଦିଅନ୍ତି ତେବେ ସ୍ମୃତି ଇରାନୀ ପୁନର୍ବାର ଜିତି ଯାଇଥାନ୍ତେ । ମାତ୍ର ରାହୁଲ ଯଦି ରାୟବରେଲି ଛାଡୁଛନ୍ତି ତେବେ ପ୍ରିୟଙ୍କା ଗାନ୍ଧୀ ସେଠାରୁ ଉପ ନିର୍ବାଚନ ଲଢି ପାରନ୍ତି ।

ସୁପ୍ରିୟା ଶ୍ରୀନେତ କହିଛନ୍ତି, ଆମେଠି-ରାୟବରେଲି ନୁହେଁ ଉତ୍ତରରୁ ଦକ୍ଷିଣ ପୂରା ଦେଶ ଗାନ୍ଧୀ ପରିବାରର ଗଡ । ରାହୁଲ ତ ତିନି ଥର ଉତ୍ତରପ୍ରଦେଶରୁ ଏବଂ ଥରୁଟିଏ କେରଳରୁ ସାଂସଦ ହୋଇଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଭାରତ ଛାଡି ଦକ୍ଷିଣ ଭାରତରୁ ନିର୍ବାଚନ ଲଢିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କୁ ଆମେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ରଖାଯାଇ ପାରିବ ନାହିଁ । ପ୍ରିୟଙ୍କା ତ କୌଣସି ଉପ ନିର୍ବାଚନ ଲଢି ସଂସଦ ପହଞ୍ଚିଯିବେ । ଆଜି ସ୍ମୃତି ଇରାନୀଙ୍କ ଏହି ପରିଚୟ ଯେ ସେ ଆମେଠିରେ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । କିନ୍ତୁ ଏବେ ସ୍ମତିଙ୍କ ପାଖରେ ଆଉ ଏହି ଟ୍ୟାଗ ନାହିଁ ।

ତେବେ ଶ୍ରୀନେତଙ୍କ ଇସାରାରୁ ଏହା ବୁଝା ପଡୁଛି ଯେ, ରାହୁଲ ଯଦି ଉଭୟ ରାୟବରେଲି ଓ ୱାଇନାଡରୁ ନିର୍ବାଚନ ଜିତି ଯାଆନ୍ତି । ତେବେ ରାୟବରେଲି ଛାଡି ୱାଇନାଡକୁ ରାହୁଲ ନିଜ ପାଖରେ ରଖିବେ । ଏମିତି ହେଲେ ପ୍ରିୟଙ୍କା ଗାନ୍ଧୀ ରାୟବରେଲିରୁ ଉପ ନିର୍ବାଚନ ଜିତି ସଂସଦକୁ ଯାଇ ପାରିବେ ।