ଭୁଶୁଡ଼ିଲା ଇଟାଭାଟି କାନ୍ଥ: ଦୁଇ ମୃତ, ଜଣେ ଆହତ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନୂଆଁଗଡ଼ରେ ଅଭାବନୀୟ ଘଟଣା । ଏସବିଆଇ ଚିମିନି ଇଟାଭାଟିରେ ପୋଡ଼ା ଇଟା କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକ ଦ୍ବୟ ହେଲେ ଖୁଲୁଡ଼ି ଗ୍ରାମର ସୁଲଭ ଦୋରା (୬୦) ଓ ବଳଧିଆ ଗ୍ରାମର ସରସ୍ୱତୀ ପ୍ରଧାନ । ଘଟଣା ସ୍ଥଳରେ ସୁଲଭଙ୍କ ମୃତ୍ୟୁ ଘଟିଥିବା ବେଳେ ସରସ୍ୱତୀଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ବତୀଙ୍କ ମୃତ୍ୟୁ ଘଟିଥିଲା ।

ଘଟଣା ସଂପର୍କରେ ଖବର ପାଇ ପାଟପୁର ପୋଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଘଟଣାକୁ ନେଇ ଏମ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।