ବିଜେଡି ସଭାରେ ଭାଷଣ ପଡ଼ିଲା ମହଙ୍ଗା: ଚୌଦ୍ବାର ଆଇଆଇସି ଓ ସବଇନ୍ସପେକ୍ଟରୁ ୨୪ ଘଣ୍ଟା ମଧ୍ୟ ବଦଳି ନିର୍ଦ୍ଦେଶ


ଭୁବନେଶ୍ବର: ବିଜେପି ନିର୍ବାଚନୀ ସଭାରେ ସରକାରୀ ଅଧିକାରୀଙ୍କୁ ସାମିଲ କରୁଥିବା ଅଭିଯୋଗ ନେଇ ବିଜେଡି ହୋହାଲ୍ଲା କରୁଛି । ହେଲେ ନିଜ ଦଳର ବ୍ୟାନର ତଳେ ଆୟୋଜିତ ସଭାରେ ନା କେବଳ ସରକାରୀ କର୍ମଚାରୀଙ୍କୁ ସାମିଲ କରୁଛି, ସେମାନେ ଷ୍ଟେଜ ଉପରକୁ ଯାଇ ଭାଷଣ ମଧ୍ୟ ଦେଉଛନ୍ତି । ଏମିତି ଅଭିଯୋଗ ଆସିଛି ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ । ଏହି କାରଣରୁ ଦୁଇ ପୋଲିସ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଚନ୍ତି ନିର୍ବାଚନ କମିଶନ । ଏହାସହ ଉଭୟ ପୋଲିସ ଅଫିସର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ସଂକ୍ରାନ୍ତରେ  କଟକ ଡିସିପି ଦେଇଥିବା ତଦନ୍ତ ରିପୋର୍ଟ ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଆଚରଣ ବିଧି ଉଲ୍ଲଂଘନ କରିଥିବା ଦୁଇ ଅଧିକାରୀ ହେଲେ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ସବ୍ ଇନ୍ସପେକ୍ଟର ସରସ୍ୱତୀ ସ୍ୱାଇଁ ।

ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍ ଥିରୁମାଳା ନାଏକ କଟକ-ଭୁବନେଶ୍ୱର ପୋଲିସ କମିଶନର ଓ କଟକ ଡିସିପିଙ୍କୁ ଚିଠି ଲେଖି ବିଶ୍ୱରଞ୍ଜନ ଏବଂ ସରସ୍ୱତୀଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ ପାଇଁ ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଦର୍ଶାଇଛନ୍ତି, ଚୌଦ୍ୱାର ଥାନା ଆଇଆଇସି ଓ ସବ ଇନ୍ସପେକ୍ଟରଙ୍କ ବିରୋଧରେ ଓଡ଼ିଶା ବିଜେପି ଓ ଅନ୍ୟମାନେ କରିଥିବା ଅଭିଯୋଗ ଉପରେ କଟକ ଡିସିପି ଦେଇଥିବା ତଦନ୍ତ ରିପୋର୍ଟ ସନ୍ତୋଷଜନକ ନୁହେଁ । ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତାହା ରାଜନୀତିକ ସଭା ନଥିଲା ବରଂ ଏକ ଧାର୍ମିକ ସଭା ଥିଲା ଯେଉଁଠିକି ରାଜନୀତିକ ନେତାମାନେ ମୁସଲିମ ସମୁଦାୟର ଲୋକମାନଙ୍କୁ ଶୁଭକାମନା ଜଣାଇବାକୁ ଯାଇଥିଲେ । ତେବେ କୌଣସି ରାଜନୀତିକ ବ୍ୟାନର ତଳେ ହେଉଥିବା ସଭାରେ ପୋଲିସ ଅଧିକାରୀ ଯୋଗ ଦେବା ଅନୁମତିଯୋଗ୍ୟ ନୁହେଁ ଓ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି । ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଉଭୟଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଏସମ୍ପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ବିଜେପି ଅଭିଯୋଗ କରିଥିଲା ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବ୍ୟାନରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଫଟୋଚିତ୍ର ସହ ଦଳୀୟ ଚିହ୍ନ ଥାଇ ଇଦଉଲ ଫିତର ସଭାର ଆୟୋଜନ ହୋଇଥିଲା । ସେହି ସଭାରେ ଚୌଦ୍ୱାର ଆଇଆଇସି ଏବଂ ମହିଳା ଇନ୍ସପେକ୍ଟର ଭାଷଣ ଦେଇଥିଲେ । ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଥିଲା ।