ଶ୍ରଦ୍ଧା ନା ଅହଙ୍କାର: ମାଆ ଚର୍ଚ୍ଚିକାଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଇଲେ BJD କର୍ମୀ !


ବାଙ୍କୀ: ଓଡ଼ିଶାାର ଅନ୍ୟତମ ଶକ୍ତି ପୀଠ ମାଆ ଚର୍ଚ୍ଚିକାଙ୍କ ସହ ବି ରାଜନୀତି କରିବାକୁ ପଛାଉନାହିଁ ବିଜେଡି । ପ୍ରଚାରରେ ନେଉଥିବା ମହିଳାଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଉଥିବା ବିଜେଡି ମାଆ ଚର୍ଚ୍ଚିକାଙ୍କୁ ବି ଛାଡିଲାନି । ବିଜେଡି କର୍ମୀ ମାଆଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଇ ଦେଇଥିବା ହୋଇଛି ଅଭିଯୋଗ । ଯାହକୁ ନେଇ ମନ୍ଦିର ସେବାୟତ, ପରିଷ୍ଠ ନାଗରିକ ଏବଂ ମାଆଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଏ ଓ କାହିଁକି ସେହି ଶାଢ଼ୀ ମାଆଙ୍କୁ ପିନ୍ଧାଇବାକୁ ସେବାୟତଙ୍କୁ ଦେଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ମନ୍ଦିର ସେବାୟତ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି ।

ପ୍ରତିଦିନ ଭୋର ସମୟରେ ମାଆଙ୍କ ମାଜଣା ନୀତି ହୋଇଥିଏ । ମାଜଣା ନୀତି ପରେ ମାଆ ନୂଆ ଶାଢ଼ୀ ପରିଧାନ କରିଥାଆନ୍ତି । ସବୁଦିନ ପରି ଆଜି ସକାଳେ ମଧ୍ୟ ଜଣେ ୯୫ ବର୍ଷିୟ ସେବାୟତ ମାଆଙ୍କ ସ୍ନାନ ନୀତି କରୁଥିଲେ । ଏହି ସମୟରେ କିଛି ଯୁବକ ପଲିଥିନରେ ଗୋଡା ହୋଇଥିବା ଶାଢ଼ୀ ଦେବାସହ ସ୍ନାନ ପରେ ମାଆଙ୍କୁ ପିନ୍ଧାଇ ଦେବାକୁ କହିଥିଲେ । ବୃଦ୍ଧ ସେବାୟତ ଜଣକ ଶାଢ଼ୀଟିକୁ ଗମ୍ଭୀରତାର ସହ ନନେଇ ପିନ୍ଧାଇ ଦେଇଥିଲେ ।

କିଛି ସମୟ ପରେ ଅନ୍ୟ ସେବାୟତମାନେ ପୂଜାନୀତି କରିବାକୁ ଆସି ମାଆ ଶଙ୍ଖ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ପାଇଥିଲେ । ଯାହାକୁ ସେମାନେ ବିରୋଧ କରିଥିଲେ । କୌଣସି ବିଜେଡି କର୍ମୀ ଏହି ଶାଢ଼ୀ ପିନ୍ଧାଇବାକୁ ଦେଇଥିବା ଚର୍ଚ୍ଚା ହେଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାଙ୍କୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ୍‌ ମହିଳାମାନେ ପିନ୍ଧିଥିବା ଶାଢ଼ୀ ମାଆଙ୍କୁ ପିନ୍ଧା ଯାଇଥିବା ଶାଢ଼ୀର ଅବିକଳ । ତେଣୁ ଏହି ଶାଢ଼ୀ ବିଧାୟକଙ୍କ ସମର୍ଥକ ଦେଇଥିବା ଚର୍ଚ୍ଚା ହେଉଛି ।

ମାଆଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଇବାକୁ ନେଇ ମନ୍ଦିର ସେବାୟତ ସଞ୍ଜୟ ରଣା କହିଛନ୍ତି, ବିଜେଡି ଶୋଭାଯାତ୍ରାରେ ବୁଲୁଥିବା ମହିଳାମାନେ ପିନ୍ଧିଥିବା ଶଙ୍ଖ ଚିହ୍ନ ଥିବା ଶାଢ଼ୀକୁ ମାଆଙ୍କୁ ପିନ୍ଧାଇ ଦେଲେ? ଏଇଟା କେତେଦୂର ଗ୍ରହଣ ଯୋଗ୍ୟ ? କାଲି କଂଗ୍ରେସର ହାତ ଚିହ୍ନ ଓ ବିଜେପି ପଦ୍ମ ଫୁଲ୍‌ ଚିହ୍ନ ଥିବା ଶାଢ଼ୀକୁ ଯଦି ମାଆଙ୍କୁ ପିନ୍ଧାଇବାକୁ ଆସିବେ, ତାହାହେଲେ କ’ଣ ହେବ ପରିସ୍ଥିତି ।

ବିଜେଡିର ଏପରି ଉଦ୍ୟମକୁ ନିନ୍ଦା କରିଛି ବିଜେପି । ବିଜେପି ନେତା ସନ୍ତୋଷ କୁମାର ରଣା କହିଛନ୍ତି, ମାଆ ଚର୍ଚ୍ଚିକାଙ୍କୁ ବିଜେଡି ଶଙ୍ଖ ଚିହ୍ନ ଥିବା ଶାଢ଼ୀ ପନ୍ଧାଇବା ଦୁର୍ଭାଗ୍ୟର ବିଷୟ । ଏହାକୁ ଆମେ ବିରୋଧ କରୁଛୁ । ଏନେଇ ଆମେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବୁ ।

ଜବାବରେ ବିଜେଡି ନେତା ସନ୍ତୋଷ କୁମାର ରଣା କହିଛନ୍ତି, ମାଆ ଚର୍ଚ୍ଚିକା ହେଉଛନ୍ତି ବାଙ୍କୀର ଇଷ୍ଟଦେବୀ। ସମସ୍ତଙ୍କର ମାଆଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଭାବ ରହିଛି। ମାଆ ପିନ୍ଧୁଥିବା ଶାଢ଼ୀରେ ବିଭିନ୍ନ ପ୍ରକାର ଫୁଲ ଓ ଅନ୍ୟାନ୍ୟ ଚିହ୍ନ ଥାଏ। ସେହି ଶାଢ଼ୀରେ କେଉଁ ଚିହ୍ନ ରହିଛି, ଆମେ ତାକୁ ଛୋଟ ଆଖିରେ ଦେଖିନୁ। ମାଆ ଶଙ୍ଖ ଚିହ୍ନ ଶାଢ଼ୀ ପିନ୍ଧିଥିବା ଯେଉଁମାନଙ୍କ ଆଖିରେ ଦେଖାଯାଉଛି, ସେମାନଙ୍କ ଭାବନା ଭୁଲ୍‌। ବିଜେଡି ମାଆ ଚର୍ଚ୍ଚିକାଙ୍କୁ ସମ୍ମାନ ଦିଏ।