ଶକ୍ତି ପ୍ରଦର୍ଶନ କଲେ ସମୀର ଦାସଙ୍କ ସମର୍ଥକ, ଭରା ସଭାରେ ଦେଲେ ୨୪ ଘଣ୍ଟା ସମୟ


ନିମାପଡ଼ା: ବିଦ୍ରୋହ ନିଆଁରେ ଜଳୁଛି ନିମାପଡ଼ା ବିଜେଡି । ତିନି ତିନି ଥର ବିଧାୟକ ହୋଇ ନବୀନ ସରକାରରେ ମନ୍ତ୍ରୀ ହୋଇଥିବା ସମୀର ଦାସଙ୍କ ଟିକେଟ୍ କଟିବା ପରେ ଜଳିବାରେ ଲାଗିଛି ଅସନ୍ତୋଷର ନିଆଁ । ଆଉ ଏହି ନିଆଁ ପବନ ପାଇବା ପରି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବ୍ୟାପିବାରେ ଲାଗିଛି । ଆଜି ସମୀରଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡିକୁ କହିଛନ୍ତି ବାଏ ବାଏ । ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଜଣକ ପରେ ଜଣେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାସହ ଶେଷ ନିଷ୍ପତ୍ତି ନେବାକୁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଶେଷ ନିଷ୍ପତ୍ତି ଜଣାଇବାକୁ ସମୀରଙ୍କୁ ସମର୍ଥକ ଅଲ୍‌ଟିମେଟ୍‌ମ ଦେଇଛନ୍ତି । ତେବେ ଆଜି ସମୀର ବିଜେଡିରୁ ଇସ୍ତଫା ଦେଇନାହାନ୍ତି।
ଆଜି ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ । ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ । ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ । ଭାଷଣାବାଜି ପରେ ସମସ୍ତ କର୍ମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ସେମାନେ ସାମୂହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ । ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି । ତାଙ୍କ ସ୍ଥାନରେ ଦିଲ୍ଲୀପ ଦାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ନେଇ ସମୀରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ନିମାପଡ଼ା ବିଧାୟକ ପ୍ରାର୍ଥୀଙ୍କୁ ବଦଳାଇବାକୁ କିଛି ଦିନ ତଳେ ସମୀର ଓ ତାଙ୍କ ସମର୍ଥକମାନେ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଥିଲେ । ମାତ୍ର କିଛି ଲାଭ ହୋଇ ନଥିଲା ।
ସୁପ୍ରିମୋଙ୍କ ମନ ଜିଣିବା ପାଇଁ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ୩୦ ହଜାରରରୁ ଅଧିକ ସମର୍ଥକଙ୍କୁ ଏକଜୁଟ୍‌ କରି ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ଅଞ୍ଚଳ ବୁଲି ସମର୍ଥକଙ୍କ ସହ ମେଳି କରିଥିଲେ । ସେ ଭାବିଥିଲେ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ତାଙ୍କ ନାଁ ଆସିବ । ହେଲେ ସେ ନିରାଶ ହେଲେ । ଶେଷରେ ଆଜି ତାଙ୍କ ସମର୍ଥକମାନେ ସମୂହ ଇସ୍ତଫା ଦେଇଛନ୍ତି ।