ବିଜେଡିରେ ଯୋଗଦେଲେ ଆମ ଆଦମୀ ପାର୍ଟିର ଜିଲ୍ଳା ଯୁବ ସଭାପତି


ସମ୍ବଲପୁର:ସମ୍ବଲପୁରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଜେଡିର ଶକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ ପ୍ରକଳ୍ପ ଗୁଡିକ ଦେଖି ଲୋକେ ସ୍ୱତଃପ୍ରବୃତ ଭାବରେ ବିଜୁ ଜନତା ଦଳରେ ଯୋଡିହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ଓ ବିଭିନ୍ନ ବର୍ଗରୁ ଆସି ଲୋକେ ଦଳରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ସମ୍ବଲପୁର ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଳା ଯୁବ ସଭାପତି ଲୁଲୁ ନାୟକ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି । ପ୍ରଣବ ପ୍ରକାଶ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଦଳକୁ ମଜଭୁତ୍ କରିବାକୁ ତୃଣମୂଳ ସ୍ତରରେ କାମ କରିବାକୁ ବୁଝାଇଥିଲେ । ଲୁଲୁ ନାୟକ ରେଢାଖୋଲ ଅଞ୍ଚଳରେ ଜଣେ ଯୁବ ସଂଗଠକ ଭାବରେ ଜଣାଶୁଣା । ଗତ ଦୁଇବର୍ଷ ହେଲା ସେ ଆମ ଆଦମୀ ପାର୍ଟିର ଜିଲ୍ଳା ଯୁବ ସଭାପତି ଭାବରେ କାମ କରୁଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲିବୁଲି ଯୁବବର୍ଗଙ୍କ ମିଶିବା ସହିତ ସଂଗଠନ ଗଢିବା କାମ କରୁଥିଲେ । ଏହା ପୂର୍ବରୁ ବ୍ଲକ ସଭାପତି ଭାବରେ ମଧ୍ୟ କାମ କରିଛନ୍ତି । ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ତରଫରୁ ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସେ ବିଧାୟକ ପ୍ରାର୍ଥୀ ଭାବରେ ଆଶାୟୀ ରହିଥିଲେ । ତେବେ କୌଣସି କାରଣବଶତଃ ରେଢାଖୋଲରେ ଦଳ ଟିକେଟ ଘୋଷଣା କଲାନାହିଁ ବୋଲି କହିଛନ୍ତି ଲୁଲୁ ନାୟକ । ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛଳ ଶାସନ ଓ ନିର୍ମଳ ଭାବମୂର୍ତ୍ତୀ ପ୍ରତି ଆକୃଷ୍ଟ ହୋଇଥିଲେ । ରାଜ୍ୟ ସରାକରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ତାଙ୍କ ମନକୁ ସନ୍ତୁଷ୍ଟି ଆଣିଦେଇଛି । ତେଣୁକରି ସେ ଆଜି ଆମ ଆଦମୀ ପାର୍ଟି ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ବୋଲି କହିଥିଲେ । ଯେହେତୁ ଯୁବ ସଂଗଠକ ଭାବରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ସଂଗଠନ ରହିଛି । ଆଗାମୀ ଦିନରେ ମଧ୍ୟ ସେ ସଂଗଠନ ପାଇଁ କାମ କରିବେ । ଏହା ସହିତ ରାଜ୍ୟ ସରାକରଙ୍କ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକର ସଫଳ ଋପାୟନ ପାଇଁ କାମ କରିବା ସହିତ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜଭୁତ କରିବାକୁ କାମ କରିବେ । ବିଶେଷ ଭାବରେ ରେଢାଖୋଲ ଅଞ୍ଚଳର ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ । ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ସ୍ୱାଗତ କରିବା ସହିତ ସାଂଗଠନିକ କାମ କରି ଦଳକୁ ଆଗେଇ ନେବାକୁ ଉପଦେଶ ଦେଇଥିଲେ।