ଭୁବନେଶ୍ବର ବଦଳିବ ପାଗ, ତାତିରୁ ମିଳିବ ଆଶ୍ବସ୍ତି !


ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରେ ଲାଗିବ ବ୍ରେକ୍ । ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି । ଆଜିଠୁ ରାଜ୍ୟବାସୀଙ୍କୁ ମିଳିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ପାଗରେ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୭ ତାରିଖରୁ ବର୍ଷାର ପରିମାଣ ବଢିବ । ୭ ଓ ୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ ।
ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶା- ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।