ଆମେଠି: କଂଗ୍ରେସ କାର୍ଯ୍ୟାଳୟ ଆଗରେ ଗାଡି ଭଙ୍ଗାରୁଜା, କାଦୁଆ ଫିଙ୍ଗା ରାଜନୀତି ଆରମ୍ଭ


ଆମେଠି: ଉତ୍ତରପ୍ରଦେଶର ହାଇ ପ୍ରୋଫାଇଲ୍‌ ସିଟ୍‌ ଆମେଠିରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ହଙ୍ଗାମା ସହ ଗାଡି ଭଙ୍ଗାରୁଜା । ଆମେଠିର ଗୌରିଗଞ୍ଜ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଘଟିଛି ଘଟଣା । ଅଫିସ ବାହାରେ ଥିବା ଅଧିକାଂଶ ଗାଡିର କାଚ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଯାହାକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଘଟଣା ପଛରେ ବିଜେପିର ହାତ ଥିବା ଉତକ୍ଷିପ୍ତ କଂଗ୍ରେସ ନେତା ଓ କର୍ମୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ଘଟଣା ପରେ ୟୁପି କଂଗ୍ରେସ ନିଜ X ହ୍ୟାଣ୍ଡେଲରେ ଲେଖିଛି, ‘ପରାଜୟର ଭୟ ଯୋଗୁଁ ବିଜେପି ଭୟଭୀତ ହୋଇ ବିଳିବିଳେଇ ହେଉଛି । ଆମେଠିରେ ପ୍ରଶାସନର ଉପସ୍ଥିତିରେ ବିଜେପି କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟ ବାହାରେ ପାର୍କିଂ ହୋଇଥିବା ଅଧା ଡଜନ ଗାଡିକୁ ଭାଙ୍ଗି ଦେଇଛନ୍ତି । ଏହି ସମୟରେ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରଦୀପ ସିଙ୍ଘଲ ଜୀ ଉପସ୍ଥିତ ଥିଲେ । ସେ କଂଗ୍ରେସ କର୍ମୀଙ୍କ ସହ ଦୁର୍ବୃତ୍ତଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଦର୍ଶକ ସାଜିଥିଲା ।
ୟୁପି କଂଗ୍ରେସ କହିଛି, ‘ବିଜେପି ଏହାର ପରାଜୟକୁ ଗ୍ରହଣ କରିସାରିଛି, ସେଥିପାଇଁ ସେ ଏପରି ହିଂସାତ୍ମକ କାଣ୍ଡ ଘଟାଉଛି । କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧି ହେଉଛନ୍ତି ସିଂହ । ସେମାନେ କାହାକୁ ଭୟ କରନ୍ତି ନାହିଁ ।’
ନିର୍ବାଚନ ପୂର୍ବରୁ ଆମେଠିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏହାକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ପୂର୍ବରୁ ସୋନିଆ ଗାନ୍ଧି ଏହି ସିଟ୍‌ରୁ ନିର୍ବାଚନ ଲଢ଼ୁଥିଲେ । ଚଳିତ ବର୍ଷ ଏହି ସିଟ୍‌ରୁ ସୋନିଆଙ୍କ ଖାସ୍‌ ଅନୁଗତ କିଶୋରୀ ଲାଲ ଶର୍ମା ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କର ସିଧାସଳଖ ଟକ୍କର ବିଜେପିର ଆଗ ଧାଡ଼ିର ନେତ୍ରୀ ସ୍ମୃତି ଇରାନୀଙ୍କ ସହ ହେବ । ଏଠାରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଦୁଇ ପାଖିଆ ମୁକାବିଲା ହେବ । ଏହି ସିଟ୍‌ରୁ ସ୍କୃତି ଇରାନୀ ଏବେ ସାଂସଦ ଥିବା ବେଳେ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ ।