ସ୍ବାମୀ ସହ ଝଗଡ଼ା ପରେ ମୂକ ପୁଅକୁ କୁମ୍ଭୀର ଭରା ନଦୀକୁ ଫିଙ୍ଗି ଦେଲା ମାଆ


କର୍ଣ୍ଣାଟକ: ଛୁଆ ଦେହରେ ସାମାନ୍ୟ କ୍ଷତ ହୋଇଗଲେ ମାଆର ମନ ବିଚଳିତ ହୋଇଯାଏ । ତା’ ହୃଦୟ କାନ୍ଦୁଉଠେ ପିଲାର ମଙ୍ଗଳ ପାଇର୍ କେତେ ପୂଜାପାଠ କରିଥାଏ । ହେଲେ ଆଜି ଆମେ ଏମିତି ଜଣେ ମାଆ ବିଷୟରେ କହିବାକୁ ଯାଉଛି, ଯିଏ ସ୍ବାମୀ ସହ ଝଗଡ଼ା ହେବାରୁ ରାକ୍ଷସୀ ପାଲଟି ଗଲା ଓ ଭିନ୍ନକ୍ଷମ ପୁଅକୁ ମରଣମୁଖକୁ ଠେଲି ଦେଲେ ।
ଘଟଣାଟି କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳର । ସ୍ୱାମୀ ଝଗଡ଼ା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଲା ମାଆ । ଦୁଇ ଦିନ ଖୋଜାଖୋଜି ପରେ ଶେଷରେ ହାତ ନଥିବା ମୃତଦେହ ଉଦ୍ଧାର କରିଛି ପୋଲିସ । କୁମ୍ଭୀର ଆକ୍ରମଣରେ ଛୁଆଟିର ଅବସ୍ଥା ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ପୋଲିସ କହିବା ଅନୁସାରେ, ମୃତ ପୁଅଟି ଜନ୍ମରୁ ମୂକ । ସେ କଥା କହିପାରୁନଥିବାରୁ ସ୍ୱାମୀ ରବି କୁମାର (୨୭) ଓ ସ୍ତ୍ରୀ ସାବିତ୍ରୀ(୨୬)ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଏଥିପାଇଁ ରବି ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ । ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି କହି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ । ଶନିବାର ମଧ୍ୟ ସମାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସାବିତ୍ରୀ କୁମ୍ଭୀର ଭର୍ତ୍ତି ଥିବା ନଦୀକୁ ପୁଅକୁ ଠେଲି ଦେଇଥିଲେ ।
ପଡୋଶୀଙ୍କ ପକ୍ଷରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା । କିନ୍ତୁ ସେଦିନ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇନଥିଲା । ପର ଦିନ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି । ଶରୀରରେ ଏକାଧିକ କ୍ଷତ ଚିହ୍ନ ସହ ଗୋଟେ ହାତ ନଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ବାପାମାଆଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ବିରୋଧରେ ଧାରା ୧୦୯ ଆଧାରରେ ମାମଲା ରୁଜୁ ହୋଇଛି ।