ଏଥର ବି ବିଜେଡି ସରକାର, ୯ରେ ଶପଥ ନେବେ ନବୀନ: ଭି. କେ ପାଣ୍ଡିଆନ


ଭବାନୀପାଟଣା: ବ୍ରହ୍ମପୁରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣ ହୁଙ୍କାର । କହିଲେ ଜୁନ ୪ ବିଜେଡିର ଏକ୍ସପାରୀ ଡେଟ । ୬ରେ ବିଜେଡି ମୁଖ୍ୟମନ୍ତ୍ରୀ ଘୋଷଣା, ୧୦ରେ ଶପଥ ଗ୍ରହଣ । ଏପଟେ ଭବାନୀପାଟଣାରୁ ବିଜେଡିର କାଉଣ୍ଟର ଆଟାକ । ନବୀନଙ୍କ ସଭା ମଞ୍ଚରୁ କାର୍ତ୍ତିକ ପାଣ୍ଡିଆନଙ୍କ ଦମ୍ଭୋକ୍ତି । କହିଲେ, ଏଥରବି ବିଜେଡି ସରକାର । ଜୁନ ୯ ତାରିଖରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ ନବୀନ ପଟ୍ଟନାୟକ ।
କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ଯୋଡି ଶଙ୍ଖକୁ ଭୋଟ ଦେବାକୁ ସେ ଅପିଲ୍‌ କରିବା ସହ ବିରୋଧୀ ସବୁବେଳେ ମିଛ କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
କାର୍ତ୍ତିକ କହିଛନ୍ତି, ‘ଆୟୁଶ୍ମାନ ଭାରତ ଯୋଜନାରେ ପୂରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ BSKYର ବଜେଟ୍ । ଓଡ଼ିଶାର ଭାଗ ମାତ୍ର ୩ ଶହ କୋଟି ପଡ଼ିବ । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସମସ୍ତଙ୍କୁ ଏହି ସୁବିଧା ମିଳିଥାଏ । ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ ।’
ଆଗକୁ ସେ କହିଛନ୍ତି, ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ଯିଏ ଯାହା କୁହନ୍ତୁ ନବୀନ ସରାକର ପୁଣି ଥରେ ଆସିବ । ଡବଲ ଇଞ୍ଜିନ ସରକାର ଯେଉଁଠି ଆସେ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଯାଏ । କିଛି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଥିଲା, ସେମାନଙ୍କ ତେଲ ସରିଗଲା ବୋଲି ଆକ୍ଷେପ କରିଛନ୍ତି କାର୍ତ୍ତିକ ।