ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ; କେଉଁ ହେଭିୱେଟଙ୍କ ଭାଗ୍ୟ ଲେଖୁଛନ୍ତି ଭୋଟର, ଜାଣନ୍ତୁ…


ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ । ଏଥିରେ ବହୁ ହେବିଓ୍ବେଟଙ୍କ ପରୀକ୍ଷା ଚାଲିଛି । ଭୋଟର ଦେବତା କେଉଁ ନେତାଙ୍କୁ ଏହି ଭାଗ୍ୟ ପରୀକ୍ଷାରେ ପାସ୍ କରାଇବେ ଓ କେଉଁ ନେତାଙ୍କୁ ଫେଲ୍ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ପର୍ଯ୍ୟାରେ କିଛି ସଂସଦୀୟ ଆସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । କାରଣ ଏଠାରେ ଏନଡିଏ ସରକାରର ଏକାଧିକ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି ।
ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୋନାଲ ପଟେଲ। ଏହି ଆସନରୁ ୨୦୧୯ରେ ବିଜୟୀ ହୋଇଥିଲେ ଅମିତ ଶାହ । ୧୯୯୮ରୁ ୨୦୧୯ ଯାଏଁ ସାଂସଦ ଥିଲେ ଲାଲକୃଷ୍ଣ ଆଡଭାନୀ । ୧୯୯୬ରେ ଏହି ଆସନରୁ ବିଜୟୀ ହୋଇଥିଲେ ଅଟଳ ବିହାରୀ ବାଜପାୟୀ । ସେହିପରି ନର୍ଥ ଗୋଆରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ। ଗୁଜରାଟ ପୋରବନ୍ଦରରୁ ଲଢୁଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ।
ରାଜକୋଟରୁ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଲଢ଼ୁଥିବା ବେଳେ କର୍ଣ୍ଣାଟକ ବିଦାରରୁ ଲଢୁଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଭଗୱନ୍ତ ଖୁବା । କର୍ଣ୍ଣାଟକ ଧାରବାଡରୁ ଲଢୁଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ମଧ୍ୟପ୍ରଦେଶ ଗୁନାରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂ ଯାଦବ । ମହାରାଷ୍ଟ୍ର ରତ୍ନଗିରି- ସିନ୍ଧୁଦୁର୍ଗରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ । କର୍ଣ୍ଣାଟକ ବେଲଗାଁରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ।
କର୍ଣ୍ଣାଟକ ହାବେରିରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ । ମଧ୍ୟପ୍ରଦେଶ ରାଜଗଡ଼ରୁ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ରୋଦମାଲ ନାଗର । ମଧ୍ୟପ୍ରଦେଶ ବିଦିଶାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ସେ ଥିଲେ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକ ଶିବମୋଗାରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ ପୁଅ ବି. ୱାଇ. ରାଘବେନ୍ଦ୍ର । ସେହିପରି ସେହି ଆସନରୁ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବାଙ୍ଗାରପ୍ପାଙ୍କ କନ୍ୟା ଗୀତା ଶିବରାଜକୁମାର । ମହାରାଷ୍ଟ୍ର ବାରମତିରେ ଏଥର ଦେଖିବାକୁ ମିଳିବ ହାଇଭୋଲଟେଜ ଟକ୍କର । ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ କନ୍ୟା ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ।
ଉତ୍ତରପ୍ରଦେଶ ମୈନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଜୟବୀର ସିଂ । ୨୦୨୨ରେ ବିଜୟୀ ହୋଇଥିଲେ ଡିମ୍ପଲ ଯାଦବ । ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ ମୁଲାୟମ ସିଂ ଯାଦବ । ବର୍ତ୍ତମାନ ବି ମୈନପୁରୀରୁ ସାଂସଦ ଅଛନ୍ତି ଡିମ୍ପଲ । ଛତିଶଗଡ଼ ଦୁର୍ଗରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁତୁରା ବିଜୟ ବଘେଲ । ଗୁଜରାଟ ନବସାରୀରୁ ଲଢୁଛନ୍ତି ବିଜେପି ରାଜ୍ୟ ସଭାପତି ସିଆର ପାଟିଲ।