ବ୍ରହ୍ମପୁର: ଗତକାଲିଠାରୁ ଗଞ୍ଜାମ ଜିଲ୍ଲାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ମାରାଥନ ପ୍ରଚାର କରୁଛନ୍ତି । ଏହାସହ ରୋଡ ଶୋ’ କରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ । ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।
ସକାଳୁ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଧବଳେଶ୍ବରରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଗତକାଲି ସଂଧ୍ୟାରେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ । ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ ।
ଗଞ୍ଜାମରେ ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
