ଭୁବନେଶ୍ବର: ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳସେଚନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କୁ ମାରିଛନ୍ତି ପ୍ରଶ୍ନବାଣ । କହିଛନ୍ତି, ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ କେମିତି ପ୍ରଚାର କରୁଛନ୍ତି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ଭିଡ଼ିଓରେ ଅଛନ୍ତି, ହେଲେ ତାଙ୍କ ଗୁମାସ୍ତାଙ୍କ ପାଖରେ ରିମୋଟ ଅଛି ।
ଆଗକୁ ସେ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଲେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ତାହାର ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା । ବିମାନ ଭିତରୁ ଦିବା ସ୍ୱପ୍ନ କଥା କହିବା ଶୋଭା ଦେଲାନି । ଏହାସହ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି, ୨୪ ବର୍ଷ ଓଡ଼ିଶାରେ ବିଜେଡି ସରକାର ଅଛି, କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଲେ ମଧ୍ୟ କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପିଇବା ପାଣିର ସୁବିଧା ନାହିଁ ? ମହାନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାହିଁକି ଜଳସେଚନ ସୁବିଧା ନାହିଁ ? ଓଡ଼ିଶାର ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି ? ସ୍କୁଲରେ କାହିଁକି ଶିକ୍ଷକ ନାହାନ୍ତି ? ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ କାହିଁକି ? ଦାଦନ କାହିଁକି ସ୍ଥାୟୀ ବ୍ୟବସ୍ଥା ପାଲଟିଛି ? ଏସବୁର ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଦିବା ସ୍ୱପ୍ନର କଥା କହୁଛନ୍ତି । ତାହା ହେଲେ ୨୪ ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ସ୍ୱପ୍ନ ଦେଖାଉଥିଲେ ବୋଲି ଧର୍ମେନ୍ଦ୍ର ପଚାରିଛନ୍ତି ।
ସମ୍ବଲପୁରରେ କାହିଁକି ବିଗତ ୧୦ ବର୍ଷ ହେବ ପୌରପାଳିକା ନିର୍ବାଚନ ହୋଇନାହିଁ ବୋଲି ଧର୍ମେନ୍ଦ୍ର ପଚାରିଛନ୍ତି । ଦୁର୍ନୀତି କରିବାକୁ ବିଜେଡି ଏମିତି କରୁଛି । ବିଜେପି ସରକାର ହେଲେ ଜୁନରେ ଚାଷୀଙ୍କୁ ୩ଟି ଫାଇଦା ମିଳିବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆସିବ । ଟୋକନ, କଟନି, ଛଟନି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ । ଛତିଶଗଡ ମଡେଲକୁ ଓଡ଼ିଶାରେ ଲାଗୁ କରିବୁ । ଧାନରେ ପ୍ରଥମ ଥର ଷ୍ଟେଟ ବୋନସ ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଶାସକ ଦଳ ସରକାରୀ ଟଙ୍କାରେ ନିଜ କର୍ମୀଙ୍କୁ ବିଦେଶ ନେବାକୁ ଯୋଜନା କରିଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ଆସିବା ପରେ ଏହା ବନ୍ଦ କରାଗଲା । ବିଜେଡି ଏହାକୁ ନେଇ ଅପପ୍ରଚାର କଲା ଯେ, ବିଜେପି ମିଶନ ଶକ୍ତିକୁ ବନ୍ଦ କରିବାକୁ ଚାହୁଁଛି । ୨୫ ଲକ୍ଷ ଏସଏଚଜି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ।