କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପାଇଁ ମତଦାନର ସମୟ ପାଖେଇ ଆସୁଥିବାବେଳେ ପୁଲିସ ପକ୍ଷରୁ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସହିତ ମାଓ ପ୍ରବଣ ଅଞ୍ଚଳମାନଙ୍କରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି। ଇତି ମଧ୍ୟରେ କନ୍ଧମାଳ ପୁଲିସକୁ ମିଳିଛି ଏକ ବଡ ସଫଳତା। କୁଖ୍ୟାତ ମାଓବାଦୀ ତଥା କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ। ଆଇଜିଙ୍କ ସୂଚନା ଅନୁଯାୟୀ, ସାମାୟାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲା ଅନ୍ତର୍ଗତ କିସ୍ତାରାମ ଥାନାର ମଙ୍ଗଳଗୁଡା ଗ୍ରାମରେ। ସେ ୨୦୦୫ ମସିହାରେ ମାତ୍ର ୧୦ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଛତିଶଗଡ଼ର ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରିବା ପରେ ସେ ଦୁଇ ବର୍ଷ ତଳେ କେକେବିଏନ ସଙ୍ଗଠନରେ ସାମିଲ ହୋଇ ଓଡ଼ିଶା ଆସିଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ତା’ ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଜିଲାରେ ୧୭ରୁ ଅଧିକ ମାମଲା ରହିଥିବା ଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଦ୍ବାରା ଆକୃଷ୍ଟ ହେବା ସହ ମାଓ ସଙ୍ଗଠନର ଜନବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛି ମାଓନେତା ସାମାୟା। ବୌଦ୍ଧ ଓ କନ୍ଧମାଳ ଜିଲାରେ ଗତ ଦିନ ମାନଙ୍କ ରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯିବା ସହିତ ନିୟମିତ ଗୁଳି ବିନିମୟ କାରଣରୁ ଵହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ମାଓ ସଙ୍ଗଠନ। ଫଳରେ ସଙ୍ଗଠନ ଦୁର୍ବଳ ହେବା ସହ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏ ଅବସରରେ କହିଛନ୍ତି ଆଇଜି ଜୟ ନାରାୟଣ ପଙ୍କଜ। ଆତ୍ମସମର୍ପଣ କରିଥିବା ମାଓନେତାଙ୍କୁ ଆଇଜି ଏବଂ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ହିଂସା ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛି ସାମାୟା। ତାକୁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଏସପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।