ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡ଼ା ୮୨ ନଂ. ବିଧାନସଭା ଆସନ ଟି କାହା ହାତକୁ ଯିବ, ସେ ନେଇ ସବୁ ଚା’ଖଟି ଏବଂ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବହୁ ତର୍କ ବିତର୍କ ମଧ୍ୟରେ ଚର୍ଚ୍ଚା ଚାଲିଛି l ଏପରି ସ୍ଥଳେ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ପକ୍ଷରୁ ଚକ୍ରମଣି କହଁର, କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ କଳ୍ପନା କହଁର ହୋଇଥିବା ବେଳେ ନ୍ୟାସନାଲ ଅପନୀ ପାର୍ଟି ତରଫରୁ ପ୍ରାର୍ଥୀ ଜୟସିଂ ମଲିକ ଏବଂ ମାନସ ଲୋକ ଶକ୍ତି ଦଳ ତରଫରୁ ଅଜୟ କୁମାର ମଲ୍ଲିକ ଅବତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ମୁଖ୍ୟତଃ ବାଲିଗୁଡା ବିଧାନସଭା ଆସନରେ ତ୍ରିମୁଖୀ ଲଢେଇ ହେବ । ବିଜେଡିରୁ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ହୋଇଥିବା ବେଳେ ବିଜେପିରୁ ମହିଳା ପ୍ରାର୍ଥୀଭାବେ କଳ୍ପନା କହଁରଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି। ଏପଟେ କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ ମୈଦାନକୁ ଓହ୍ଲାଇଛନ୍ତି । ଟିକେଟ ଘୋଷଣା ପରେ ସମସ୍ତ ପ୍ରାର୍ଥୀ ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚଳାଇଛନ୍ତି କ୍ୟାମ୍ପେନ। ଏ ସବୁ ଭିତରେ ସମସ୍ତ ଭୋଟର ଙ୍କ ମନରେ ଗୋଟିଏ କଥା କାହାର ହେବ ବାଲିଗୁଡା ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ଗାଁ ଗାଁରେ ସଭା, ସମ୍ମିଳନୀ କରି ଜନ ସମର୍ଥନ ଗୋଟାଉଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛି। ଗତ ନିର୍ବାଚନ ଅପେକ୍ଷା ଚଳିତ ଥରର ନିର୍ବାଚନ କଡ଼ା ଟକ୍କର ହେଉଥିବା ଯୋଗୁଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପଟେ ବିଜେଡି ଓ ବିଜେପିର କଡ଼ା ମୁକାବିଲା ଦେଖିବାକୁ ବାଲିଗୁଡା ଭୋଟର ଅପେକ୍ଷା କରିଥିବା ବେଳେ କଂଗ୍ରେସ ନେଇପାରେ ନିର୍ଣ୍ଣାୟକ ଭୂମିକା। ଚଳିତ ଥର ବିଜେଡି ଦ୍ୱିତୀୟ ଥର ପାଇଁ ଚକ୍ରମଣି ଙ୍କୁ ଭରସା କରି ଟିକଟ ଦେଇଥିବା ବେଳେ ବିଜେପି ଓ କଂଗ୍ରେସ ରାଜନୀତି ରେ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀଙ୍କୁ ଦେଇ ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ବିଜେଡି ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ବାଲିଗୁଡାକୁ ଭି.କେ. ପାଣ୍ଡିଆନ ଆସି ହଜାର ହଜାର ଭୋଟରଙ୍କ ଉପସ୍ଥିତରେ ଏକ ନିର୍ବାଚନୀ ସଭା କରି ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେପି ଓ କଂଗ୍ରେସର ସେପରି କିଛି ନିର୍ବାଚନୀ ସଭା କିମ୍ବା ରୋଡ଼ ସୋ ଭଳି କିଛି ଆଖି ଦୃଶିଆ କାର୍ଯ୍ୟକ୍ରମ ଭୋଟର ଙ୍କୁ ସୁହାଇଲା ଭଳି ହୋଇପାରିନାହିଁ l ଗତ ୨୦୧୪ ନିର୍ବାଚନରେ ବିଜେଡି ତରଫରୁ ରାଜୀବ ପାତ୍ର ୩୭ହଜାର ୬୦୬ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର କ୍ଳେଶ ପ୍ରଧାନ ୩୪ହଜାର ୯୧୦ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୧୮ ହଜାର ୧୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।ଏଥିରେ ବିଜେଡିର ରାଜୀବ ପାତ୍ର ୨୬୯୬ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନ ରେ ବିଜେଡିର ଚକ୍ରମଣି ୪୩ ହଜାର ୧୭୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର ସିମନ ମଲ୍ଲିକ ୩୬ ହଜାର ୨୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୨୫ ହଜାର ୨୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଏଥିରେ ବିଜେଡିର ଚକ୍ରମଣି କହଁର ୬୯୧୦ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନ ର ଗଣନା କୁ ଲକ୍ଷ୍ୟ କଲେ କଂଗ୍ରେସ ଦ୍ୱିତୀୟ ସ୍ଥାନ ଓ ବିଜେପି ତୃତୀୟ ସ୍ଥାନରେ ରହିଆସିଛି l ନିର୍ବାଚନ ବୈତରଣୀ ପାର ହେବା ନେଇ ଏବେ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଆରମ୍ଭ କଲେଣି କସରତ। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଗମନାଗମନ, କୃଷି ଓ କୃଷକଙ୍କ ସମସ୍ୟା ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନ ମିଳିବା ଭଳି ବିଭିନ୍ନ ସମସ୍ୟା ନିର୍ବାଚନରେ ପ୍ରମୁଖ ଫ୍ୟାକ୍ଟର ରୂପେ କାମ କରିବ। ଛକାପଞ୍ଝା ରାଜନୀତି ବାଲିଗୁଡା ବିଧାନସଭା ଲଢ଼େଇକୁ ରୋଚକ କରିଥିବା ବେଳେ ଜନମତ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।