ରାକ୍ଷସ ପାଲଟିଲେ ସିନିୟର: ଜୁନିୟର ଛାତ୍ରଙ୍କ ପ୍ରାଇଭେଟ ପାର୍ଟରେ ଇଟା ବାନ୍ଧି ସୋସିଆଲ ମିଡିଆରେ କଲେ ଭାଇରାଲ

କାନପୁର: ଉତ୍ତରପ୍ରଦେଶ କାନପୁରରେ ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣା ପଦାକୁ ଆସିଛି । ସିନିୟରମାନେ ଜୁନିୟର ଛାତ୍ରଙ୍କୁ ନା କେବଳ ନିର୍ଯାତନା ଦେଇଥିଲେ, ତାଙ୍କ ପ୍ରାଇଭେଟ ପାର୍ଟରେ ଇଟା ବାନ୍ଧି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏହି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ପୀଡ଼ିତ ଛାତ୍ର ଜଣକ କମ୍ପିଟେଟେଭି ପରୀକ୍ଷା ନିମନ୍ତେ କୋଚିଂ ନେବାକୁ ଇଟୱାରୁ କାନପୁର ଆସିଥିଲେ । ସେଠାରେ ସେ କିଛି ସିନିୟର ଛାତ୍ରଙ୍କ ସଂସ୍ପର୍ଶରେ ଆସି ଯାଇଥିଲେ । ସେମାନେ ତାଙ୍କୁ ଟ୍ରାପ୍ରେ ଫସାଇ ଅନଲାଇନ୍ ଗେମ୍ ଖେଳିବାକୁ ୨୦ ହଜାର ଟଙ୍କା ଦେଇଥିଲେ । ଛାତ୍ରଜଣକ ସବୁ ଟଙ୍କା ହାରିଯିବା ପରେ ସିନିୟରମାନେ ତାଙ୍କୁ ଧମକାଇ ୨ ଲକ୍ଷ ଫେରାଇବାକୁ କହିଥିଲେ ।
ପୀଡ଼ିତ ଛାତ୍ର ଜଣକ ଟଙ୍କା ଫେରାଇ ନ ପାରିବାରୁ ସିନିୟରମାନେ ତାଙ୍କୁ ଏକ ରୁମ୍ରେ ବନ୍ଦ କରି ପ୍ରବଳ ବିଧା, ଗୋଇଠା ମାରିଲେ । ଛାତ୍ରଜଣକ ଛାଡ଼ି ଦେବାକୁ ଯେତେ କାକୁତିମିନତି ହେଲେ ବି ସେମାନେ ତାହା ଶୁଣି ନ ଥିଲେ । ଏହାପରେ ବି ସେମାନେ ତାଙ୍କୁ ସାଂଘାତିକ ନିର୍ଯାତନା ଦେଇ ଚାଲିଥିଲେ। ସେମାନେ ତାଙ୍କ ଚୁଟିରେ ନିଆଁ ଲଗାଇ ଦେବା ସହ ଉଲଗ୍ନ କରି ପିଟିଲେ । ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ଇଟା ବାନ୍ଧି ଦେଇଥିଲେ। ଛାତ୍ରଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସିନିୟରମାନେ ଏହାର ଭିଡିଓ କରିବାରେ ବ୍ୟସ୍ତ ଥିଲେ ।
ନିର୍ଯାତନା ଅସହ୍ୟ ହେବାରୁ ଏନେଇ ପୀଡ଼ିତ ଛାତ୍ରଜଣକ ନିଜ ଘରେ ସବୁ କଥା କହିଥିଲେ । ପରିବାର ପକ୍ଷରୁ ଇଟୱାରେ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ଅଭିଯୁକ୍ତଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା ।
ମାତ୍ର ନିର୍ଯାତନା ଦେବା ଓ ପ୍ରାଇଭେଟ ପାର୍ଟରେ ଇଟା ବାନ୍ଧିବାର ଭିଡିଓକୁ ଅଭିଯୁକ୍ତମାନେ ଭାଇରାଲ କରିଦେଇଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।