ଭୁବନେଶ୍ବର: ବୁଧବାର ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ନିର୍ବାଚନ ପରେ ବିଜେପି, ବିଜେଡିକୁ ଭାଙ୍ଗି ସରକାର ଗଠନ କରିବାକୁ ପ୍ଲାନ କରୁଥିବା କହିଛନ୍ତି ପାଣ୍ଡିଆନ । ଏହାସହ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ ।
ପାଣ୍ଡିଆନ କହିଛନ୍ତି, ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି । ଆଉ ଟାର୍ଗେଟ୍ ରଖିଛନ୍ତି ୫୦ରୁ ୬୦ ବିଧାନସଭା ଆସନ ଜିତିବା ପାଇଁ । ଏତିକି ସିଟ୍ ଜିତିବା ପରେ ବିଜେଡିକୁ ଭାଙ୍ଗି ସରକାର ଗଢିବାକୁ ଉଦ୍ୟମ କରୁଛି ଦଳ । ପୂର୍ବଠାରୁ ଟିକେ ଅଧିକ ଆସନରେ ଜିତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରି ସରକାର ଭାଙ୍ଗିବା ଲକ୍ଷ୍ୟରେ ରହିଛି ।
ଆଗକୁ ସେ କହିଛନ୍ତି, ‘ବିଜେପିର ଏହି ପ୍ରୟାସ କାମ ଦେବନି । ଗତଥର ଅପେକ୍ଷା ଅଧିକ ସାଂସଦ ଆସନ ଜିତିବ ବିଜେଡି । ୪ ତାରିଖରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ । ବିକାଶ ପାଇଁ ୨ଟି ଆସନରୁ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସ୍ବର ସଂସଦରେ ଉଠାଇବାକୁ ଯୋଡ଼ି ଶଙ୍ଖ ନାରା ଦିଆଯାଉଛି । ଖୁବଶୀଘ୍ର ବିଜେଡିର ମେନିଫେଷ୍ଟୋ ଆସିବ, ଯାହା ସମସ୍ତଙ୍କୁ ସରପ୍ରାଇଜ କରିଦେବ ।’
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ‘ମୋ ପ୍ରଶ୍ନରେ ଉତ୍ତର ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳ ପାଇଁ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ? କେନ୍ଦ୍ରୀୟ ବିଦ୍ୟାଳୟ ଭଲ ନା 5T ସ୍କୁଲ ଭଲ ? କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଥିବା ବେଳେ 5T ସ୍କୁଲରେ ସ୍ମାର୍ଟ ବୋର୍ଡରେ ପଢ଼ାଯାଉଛି । ୧୦ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ, ଓଡ଼ିଶା କଥା ଛାଡନ୍ତୁ ନିଜ ଗାଁ ପାଇଁ ବି କିଛି କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଚୌକି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ନଜର । ୧୦ ବର୍ଷ ହେବ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଛନ୍ତି । ଢେଙ୍କାନାଳ ପାଇଁ ଚେଷ୍ଟା କରୁଥିଲେ କେନ୍ଦ୍ରମନ୍ତ୍ରୀ । ହଠାତ ସମ୍ବଲପୁରରୁ କାହିଁକି ଲଢ଼ିଲେ? ଓଡ଼ିଶାରେ ଦାଦନ କଥା ଉଠାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ମନ୍ତ୍ରୀ ଥାଇ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ?’
କେବଳ ସେତିକି ନୁହେଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ‘ପୁରୀ ପ୍ରକଳ୍ପ ରାଜନୀତିରୁ ଊର୍ଦ୍ଧ୍ବରେ । ପୁରୀ ପ୍ରକଳ୍ପକୁ ବିରୋଧ କେବଳ ମୋତେ ନୁହେଁ, ଓଡ଼ିଶାବାସୀଙ୍କୁ ବାଧିଛି । ମହାପ୍ରଭୁଙ୍କ କାମ ଅଟକାଇବାକୁ ଦାମୀ ଓକିଲ ଆଣିଥିଲେ । ପୁରୀ ପ୍ରକଳ୍ପ କାମରେ ମୋର ଛୋଟିଆ ଭୂମିକା ରହିଛି । ପ୍ରକଳ୍ପ କାମରେ ମୋର ଭୂମିକା, ମୋ ପରିଚୟ ।’