ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି ମାଙ୍କଡ଼, ୧୫ରୁ ଅଧିକ ଲୋକ ଆହତ


ବାଲେଶ୍ବର: ମାତିଛନ୍ତି ମାଙ୍କଡ଼ । ଘରୁ ବାହାରିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି । ମାଙ୍କଡ଼ଙ୍କ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବିଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତରେ ।

ଅଞ୍ଚଳରେ ୫୦ରୁ ଅଧିକ ମାଙ୍କଡ଼ ଆତଙ୍କ ମଚାଇଛନ୍ତି । ମାଙ୍କଡ଼ ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି । ରଘୁନାଥପୁର ପଞ୍ଚାୟତର ସାନଅସ୍ତୀ, କୁଙ୍କୁଡ଼ି, ମଠକୁଙ୍କୁଡ଼ି ଓ ପାଳସାହି ଗାଁରେ ପଶି ମାଙ୍କଡ଼ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଲୋକମାନେ ଭୟରେ କାମଧନ୍ଦା ପାଇଁ ବାହାରକୁ ଯାଇପାରୁନଥିବା ବେଳେ ପିଲାମାନେ ମଧ୍ୟ ପାଠ ପଢ଼ିବାକୁ ଯାଇପାରୁନାହାନ୍ତି । ଜରୁରୀ କାମରେ ହାଟ ଓ ବଜାରକୁ ଯିବାକୁ ହେଲେ ହାତରେ ଠେଙ୍ଗାବାଡ଼ି ଧରି ଯିବାକୁ ପଡ଼ୁଛି ।

ଗାଁ ଲୋକଙ୍କ କହିବା ଅନୁସାରେ ମାଙ୍କଡ଼ ପଲଙ୍କ ଭିତରେ କିଛି ପାଗଳ ମାଙ୍କଡ଼ ଅଛନ୍ତି । ସେମାନେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛନ୍ତି । କିଛି ଲୋକ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି କଟକ ଓ ଭୁବନେଶ୍ୱରରେ ଚିକିତ୍ସାଧିନ ଅଛନ୍ତି । ବନ ବିଭାଗକୁ ଜଣାଇବା ପରେ ସ୍ୱତନ୍ତ୍ର ଟିମ୍ ଗାଁରେ ପହଂଚି କିଛି ମାଙ୍କଡ଼ଙ୍କୁ କାବୁ କରିଛି । ଆଉ କିଛି ମାଙ୍କଡ଼ଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । କୁଳଡ଼ିହା ଅଭୟାରଣ୍ୟର ମାଙ୍କଡ଼ ଧରାଳି ମାଙ୍କଡ଼ ଧରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଶିମିଳିପାଳରୁ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ଡେରା ପକାଇଛନ୍ତି ।