Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟାରେ ସମ୍ବଲପୁରରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିବା ସହ ଧାନ ବୁଣିଛନ୍ତି ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ‘ଅକ୍ଷୟ ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଆ ପରମ୍ପରାରେ ଆଜି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭ ଦିନ । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳଷଷ୍ଠୀର କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ । ଆଗାମୀ ଦିନ ମାନଙ୍କରେ ଆମ ରାଜ୍ୟ ଓଡ଼ିଶା ଦେଶରେ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ । ଚାଷୀ ଭାଇ ମାନଙ୍କର ଜମିରେ ଭଲ ଫସଲ ହେଉ । ଓଡ଼ିଆ ଲୋକଙ୍କ ଜୀବନ ସୁଖମୟ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା । ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇ ମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରରେ କେନ୍ଦ୍ରମନ୍ତ୍ରୀ ଶରଧାପାଲି ଠାରେ ପଦଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି ଦେଶରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରରେ ‘ହରି ଓମ୍ ବାବା ଗୋଶାଳା’ ପରିସରରେ ଗୋମାତାଙ୍କ ସେବା କରିବା ସହ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିଥିଲେ । ଗୋମାତାଙ୍କ ସେବା କଲେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ ।ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ