ଜୟନାରାୟଣଙ୍କ ବିବୃତି ବିରୋଧରେ ବର୍ଷିଲେ ସଞ୍ଜୟ ବାବୁ


ସମ୍ବଲପୁର:ଭାରତୀୟ ଜନତା ପାର୍ଟିର ନେତା ତଥା ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସମ୍ମୁଖରେ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମକକ୍ଷ କରିବାକୁ ଚେଷ୍ଟା କରୁଛନ୍ତି । ଜୟନାରାୟଣ ବିବୃତିରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ନିର୍ବାଚନ ପାଇଁ ଦଳର ଚାପରେ ପଡି ଧର୍ମେନ୍ଦ୍ରଙ୍କ ଗୁଣ ଗାଉଥିବା ଜୟନାରାୟଣ ପ୍ରଥମେ ସମ୍ବଲପୁରବାସୀଙ୍କୁ ସ୍ପଷ୍ଟ କରାନ୍ତୁ ଉଭୟଙ୍କର ସମ୍ପର୍କ କେମିତି ରହିଛି ବୋଲି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ସଞ୍ଜୟ ବାବୁ ।
ଜୟନାରାୟଣଙ୍କ ବିବୃତିର ଉତ୍ତର ରଖି ସଞ୍ଜୟ ବାବୁ କହିଥିଲେ କାର୍ତ୍ତିକ ପାଣ୍ଡିଆନଙ୍କର ଓଡିଶା ପ୍ରତି ମମତା ଓ ଅବଦାନ ଧର୍ମେନ୍ଦ୍ରଙ୍କ ଠାରୁ ଢେର ବେଶି । ଜଣେ ଦକ୍ଷ ପ୍ରଶାସନୀକ ଅଧିକାରୀ ଭାବରେ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ଲାଗୁ କରିବାରେ ସେ ସଫଳତା ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁ କରି ତାଙ୍କରି ମାର୍ଗଦର୍ଶନରେ ଓଡିଶାର ଉନ୍ନତି ପାଇଁ ଦିନରାତି ଖଟୁଛନ୍ତି । ସ୍ୱଳ୍ପ ସମୟ ଭିତରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନ ଓ ତାକୁ ରୂପାୟନ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନଙ୍କର ଇଛାଶକ୍ତି ବଳରେ ଓଡିଶାରେ ବ୍ୟାପକ ରୂପାନ୍ତରିକରଣ ହୋଇଛି । ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀବସ ହଉ ବା ପର୍ଯ୍ୟଟନ କ୍ଷେତ୍ରରେ ଏକ ବ୍ୟାପକ ନୂତନତ୍ୱ ଆଣିବାରେ ସଫଳ ହେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ବୋଲି କହିଥିଲେ । ଓଡିଶା ମାଟିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ନାହିଁ । ବିହାର ଉତ୍ତରପ୍ରଦେଶ ଦେଇ ଓଡିଶାକୁ ଆସିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ନିଜ ଜନ୍ମମାଟିରେ ଜନସାଧାରଣଙ୍କ ଦ୍ୱାରା ହତାଦର ହେବାପରେ ବାଧ୍ୟହୋଇ ସମ୍ବଲପୁର ଚାଲିଆସିଛନ୍ତି । ତାଙ୍କ ଅବଦାନ ବିଷୟରେ ଗଣାଇବା ସମୟରେ ଜୟନାରାୟଣ ଜାଣି ରଖିବା ଉଚିତ ଯେ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି ତାହା ଓଡ଼ିଶାର ଲୋକ ଖୋଜି ଚାଲିଛନ୍ତି । ସମ୍ୱଲପୁରବାସୀ ଏନଏଚ ୫୫ରେ ଗଲାବେଳେ ଧର୍ମେନ୍ଦ୍ରଙ୍କ ଅବଦାନ ବିଷୟରେ ସଚେତନ ହୁଅନ୍ତି ଏବଂ ସେଇ ହିସାବରେ ତାଙ୍କ ପ୍ରତି ଲୋକଙ୍କର ମଧ୍ୟ ଏକ ଦୃଷ୍ଟିକୋଣ ରହିଛି । ଜୟନାରାୟଣ ବାବୁ ବିଗତ ୫ ବର୍ଷ ସମ୍ୱଲପୁରରେ ଦେଖାଦେଇନଥିଲେ । ସେ କହି ପାରିବେ କି ବାସ୍ତବ କ୍ଷେତ୍ରରେ ତାଙ୍କର ଓ ଧର୍ମେନ୍ଦ୍ରଙ୍କ ଭଲ ସମ୍ପର୍କ ଅଛି କି? ସାଧାରଣରେ ଲୋକେ ଏହାକୁ ବିଶ୍ୱାସ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ନିଜ ସହଯୋଗୀଙ୍କୁ ବଞ୍ଚାଇବା ପାଇଁ ଜୟନାରାୟଣ ଚୁପ ରହୁଛନ୍ତି । କିନ୍ତୁ ଓଡ଼ିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ର ବାବୁ ଏହା ଜାଣିଛନ୍ତି କି ଜୟନାରାୟଣ ମ୍ୟୁନିସିପାଲଟି ନିର୍ବାଚନ ସମୟରେ ଜଣେ ଅଣଓଡିଆଙ୍କୁ ଥଇଥାନ କରିବାକୁ ଜାଲ ପ୍ରମାଣପତ୍ର ତିଆରି କରି ଷଢଯନ୍ତ୍ର କରି ଚେୟାରମେନ କରିବାରେ ସଫଳ ହୋଇଥିଲେ । ଏହା କଣ ସତ୍ୟ କି ଧର୍ମେନ୍ଦ୍ର ପ୍ରଧାନ ଆଇଆଇଏମ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଆଶା କରିବା ନିର୍ବାଚନ ରଣାଙ୍ଗନରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଉପଦେଶ ନଦେଇ ତାଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ । କେହି ଭୁଲିବା ଉଚିତ ନୁହେଁ ଯେ ଭାରତୀୟ ରାଜନୀତିରେ ବିଜୁ ଜନତା ଦଳ ଏକ ସଫଳ ଆଞ୍ଚଳିକ ଦଳ ଏବଂ କାର୍ତ୍ତିକ ପାଣ୍ଡିଆନ ହେଉଛନ୍ତି ସେହି ଦଳର ଜଣେ ବରିଷ୍ଠ ନେତା । କିଏ କେତେ ଆଗରୁ ରାଜନୀତି କରିଛି ଯେତିକି ମାଇନେ ନ ରଖେ, ଓଡିଶା ପାଇଁ କିଏ କଣ କରିଛି ଲୋକେ ତାକୁ ମନେ ରଖନ୍ତି । ଜୟନାରାୟଣ ବାବୁଙ୍କୁ ଆମର ବିଶେଷ ଅନୁରୋଧ ଯେ ସିଏ କେତେବେଳେ ସମୟ କାଢି ମା ସମଲେଇଙ୍କ ମନ୍ଦିର ଯାଇ ଓଡ଼ିଶାର ରୂପାନ୍ତରିକରଣର ଏକ ଝଲକ ଦେଖି ଆସନ୍ତୁ ବୋଲି ସଞ୍ଜୟ ବାବୁ ଆହ୍ୱାନ ଦେଇଛନ୍ତି ।