Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦଳିମୁଣ୍ଡାରେ ଅକ୍ଷୟ ତୃତୀୟା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ:ଗାଁ ଝିଅଙ୍କୁ ସମ୍ମାନୀତ କରି ଦେଖାଇଲା ନୂତନ ନିଦର୍ଶନ

ସମ୍ବଲପୁର(ପଡିଆବାହାଲ): ଯୁଯୁମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳୀମୁଣ୍ଡାରେ ଅକ୍ଷୟ ତୃତୀୟାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଗତକାଲି ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ପାଳିତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଏଥର କେବଳ ଗାଁ ନୁହେଁ ବରଂ ସମାଜ ପାଇଁ ଦେଖାଇଛି ନୂଆଁ ନିଦର୍ଶନ।
ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଅକ୍ଷୟ ତୃତୀୟା ସବୁରି ମନରେ ଫେରାଇ ଆଣିଥିଲା ଶ୍ରଦ୍ଧା। ଗାଁର ସମସ୍ତ ବିବାହିତ ଝିଅ ଓ ସେମାନଙ୍କ ପରିବାରକୁ ଏକାଠି କରି ଫୁଲ,ଚନ୍ଦନ,ନୈବେଦ୍ୟ ସହିତ ଶାଢୀ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରି ଏକ ଜାତୀୟ ଚେତନାର ବାର୍ତ୍ତା ପ୍ରଦାନ କରିଛି।ପୂଜାରେ ସପତ୍ନୀକ ସୁଦିପ୍ତ କୁମାର ବେହେରା ଓ ସରିତା ବେହେରା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ମହେଶ୍ୱର ନାୟକ ପୂଜାର୍ଚ୍ଚନା କରିଥିଲେ।
ଗତ ଦୁଇ ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ଅକ୍ଷୟ ତୃତୀୟା ମାଁ ଲକ୍ଷ୍ମୀ ପୂଜା ମହୋତ୍ସବ ପୂଜାର୍ଚନା ସହ ସାଂସ୍କୃତିକ ମୟ ହୋଇ ଉଠିଥିଲା।ଦୁଲୁକି ପଡୁଥିଲା ଗାଁ ଦାଣ୍ଡ।ଗାଁର ଚାଷୀ ଠାରୁ ସାଧାରଣ ଜନତା ମନରେ ଫୁଟି ଉଠୁଥିଲା ହସ।ଗ୍ରାମର ନବଜ୍ୟୋତି ଯୁବକ ସଂଘର ଦେବାନନ୍ଦ ଭୂସାଗର,ଉମାକାନ୍ତ ବେହେରା, ଦିଲିପ କୁମାର ମିର୍ଦ୍ଧା, ପବିତ୍ର ମିର୍ଦ୍ଧା ଓ ବିନୋଦ ବିହାରୀ ଭୋଇଙ୍କ ମୁଖ୍ୟ ପରିଚାଳନା ଓ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ହୋଇ ଗ୍ରାମର ଗୌନ୍ତିଆ ସୁବୋଧ ବେହେରା ଅକ୍ଷୀମୁଠୀ ଛୁଇଁ ଚାଷ କାର୍ଯ୍ୟର ପ୍ରାରମ୍ଭ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ। ଏନେଇ ସକାଳ ସାଢେ଼ ଆଠଟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ନଅଟାରେ ମାଁ ଲକ୍ଷ୍ମୀଙ୍କ ପୂଜାକାର୍ଯ୍ୟ ଆରମ୍ଭ ହୋଇ ଗତକାଲି ପୁର୍ଣ୍ଣାହୁତି ପଡି ରାତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ସହିତ ଏହାର ଉଦଯାପନ ହୋଇଥିଲା। ପ୍ରତି ଦିନ ମହିଳା ମାନଙ୍କ ନାମ ସଙ୍କୀର୍ତ୍ତନ ବୈଠକି, ନୃତ୍ୟ ପ୍ରତିଯୋଗିତା, ସଂର୍ପଦା, ଭଜନ ଓ ଆଧୁନିକ କୃଷ୍ଣଗୁରୁ ପରିବେଷଣ କରାଯାଇ ଗାଁ ଯେମିତି ଆଧ୍ୟାତ୍ମିକ ପରିବେଶ ମୟ ଉଠିଥିଲା।ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ୨ ବିଭାଗରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
୨ ଦିନ ଧରି ଆୟୋଜିତ ମହୋତ୍ସବରେ ଆସବ ଅଲ୍ଲୀଖାଁ,ପ୍ରଶନ୍ନ ଆଚାର୍ଯ୍ୟ,ରୁଦ୍ର ନାରାୟଣ ସାମନ୍ତରାୟ, ରାଜେନ୍ଦ୍ର କୁମାର ପଣ୍ଡା,ଦେବେନ୍ଦ୍ର ମହାପାତ୍ର,ଅଶ୍ୱିନୀ କୁମାର ମିଶ୍ର,ରବିନାରାୟଣ ବେହେରା,ସାମ୍ବାଦିକ ରାଧାମୋହନ ଷଡଙ୍ଗୀ, ପ୍ରଫୁଲ୍ଲ କୁମାର ମଗର,ସରସ୍ବତୀ ଭୂସାଗାର,ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅକ୍ଷୟ ତୃତୀୟାର ମହତ୍ୱ ଉପରେ ଆଲୋଚନା କରିଥିଲେ।ପ୍ରତିଟି କାର୍ଯ୍ୟକ୍ରମରେ ମାଁ ମହାଲକ୍ଷ୍ମୀ କମିଟି ଉପଦେଷ୍ଟା ସୁବୋଧ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଦେବାନନ୍ଦ ଭୁସାଗର ଓ ଅକ୍ଷୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଅନୁଷ୍ଠିତ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହିତ ପ୍ରତିଦିନ ଗ୍ରାମବାସୀ ଓ ଉପସ୍ଥିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା।ଏହି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବକୁ ସଫଳ ରୂପାୟନ ପାଇଁ ଗ୍ରାମର ସମସ୍ତ ଗ୍ରାମବାସୀ, ନବଜ୍ୟୋତି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ।