ଓଡ଼ିଶାରେ ଚାଲିଛି ମତଦାନ: ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା


ଭୁବନେଶ୍ବର: ଦେଶରେ ଚତୁର୍ଥ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦନା ଚାଲିଛି । କୋରାପୁଟ, ଦବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟିଂ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।
ଏହି ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି ସମ୍ବେନଦଶୀଳ ମତଦାନ କେନ୍ଦ୍ର ରହିଛି ।
୪ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି । ତା’ ଭିତରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।
ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯିବା ସହ ଚେକିଂ ଜୋରଦାର ହୋଇଛି । ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ ବି ସଜାଗ ଥିବା କହିଛନ୍ତି ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ । ସୁରକ୍ଷାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ।
୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଆଜି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗ ରୁମ୍‌ରେ EVM ଗୁଡ଼ିକୁ ସୁରକ୍ଷିତ ରଖାଯିବ।