ଲୋକସଭା ନିର୍ବାଚନ: ମୈଦାନରେ ସେଲିବ୍ରିଟି ଭାଗ୍ୟ ପରୀକ୍ଷା


ଭୁବନେଶ୍ବର: ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ବହୁ ହେବିଓ୍ବେଟଙ୍କ ଭାଗ୍ୟ ପରୀକ୍ଷା ହେଉଛି । ହେଲେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି, ଚଳଚ୍ଚିତ୍ର ଓ କ୍ରିକେଟ ଜଗତର ତାରକା । ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିବା ଏହି ସେଲିବ୍ରେଟିମାନଙ୍କ ରାଜନୈତିକ କ୍ୟାରିୟର ଇଭିଏମ୍ ମେସିନରେ ହେଉଛି କଏଦ । ଜୁନ ୪ରେ ଜଣାପଡିବ କେଉଁ ସେଲିବ୍ରିଟି ନିର୍ବାଚନୀ ପରୀକ୍ଷାରେ ପାସ୍ ହେଉଛନ୍ତି ।
ଉତ୍ତରପ୍ରଦେଶ ମଥୁରାରୁ ବିଜେପି ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଅଭିନେତ୍ରୀ ହେମାମାଳିନୀ । ସେହିପରି ଚଳିତ ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ତଥା ରାମାୟଣର ରାମ, ଅରୁଣ ଗୋଭିଲ ଉତ୍ତରପ୍ରଦେଶ ମିରଟରୁ ବିଜେପି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ।
ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶ ମଣ୍ଡିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହେଉଛି । ବିଜେପି ଟିକେଟରୁ ନର୍ଥ ଇଷ୍ଟ ଦିଲ୍ଲୀରୁ ଲଢୁଛନ୍ତି ଭୋଜପୁରୀ ଅଭିନେତା ମନୋଜ ତିୱାରୀ । ତାଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର କହ୍ନେୟା କୁମାର । ଉତ୍ତରପ୍ରଦେଶ ଗୋରଖପୁରରୁ ବିଜେପିରୁ ଲଢୁଛନ୍ତି ଅଭିନେତା ରବି କିଷନ । ଥ୍ରୀଶୂର କେରଳରୁ ବିଜେପି ପକ୍ଷରୁ ଲଢୁଛନ୍ତି ସୁପରଷ୍ଟାର ସୁରଶ ଗୋପୀ ।
ଅଭିନେତା କ୍ରିଷ୍ଣକୁମାର ଲଢୁଛନ୍ତି କେରଳ କୋଲମରୁ । ଅଭିନେତା ରାଜ ବବର ଗୁରୁଗାଓଁ ହରିୟାଣାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ସୁପରଷ୍ଟାର ଶତୃଘ୍ନ ସିହ୍ନା ପଶ୍ଚିମବଙ୍ଗ ଆସନସୋଲରୁ ଟିଏମସି ଟିକେଟରୁ ଲଢୁଛନ୍ତି । ହୁଗଲି ପଶ୍ଚିମବଙ୍ଗରୁ ଟିଏମସି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ଅଭିନେତ୍ରୀ ଶତାବ୍ଦୀ ରୟ ପଶ୍ଚିମବଙ୍ଗ ବୀରଭୂମରୁ ଟିଏମସି ପ୍ରାର୍ଥୀ ଭାବେ ଲଢୁଛନ୍ତି ।
କ୍ରିକେଟ ତାରକା ୟୁସୁଫ ପଠାନ ପଶ୍ଚିମବଙ୍ଗ ବରହମପୁରରୁ ଟିଏମସି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟତମ କ୍ରିକେଟ ତାରକା କୀର୍ତ୍ତି ଆଜାଦ ପଶ୍ଚିମବଙ୍ଗ ବର୍ଦ୍ଧମାନରୁ ଟିଏମସି ପ୍ରାର୍ଥୀ ହୋଇଛନ୍ତି ।