ଓଡିଶାରେ ସୁରୁଖୁରୁରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌, ମତଦାନ ୬୫.୦୩ ପ୍ରତିଶତ


ଭୁବନେଶ୍ୱର: ଛୋଟ ମୋଟ ଘଟଣାକୁ ବାଦ୍ ଦେଲେ ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୬୫.୦୩ ପ୍ରତିଶତ ମତଦାନ ହୋଇଥିବା ରାତି ସାଢେ ୧୦ଟା ୩୦ରେ ନିର୍ବାଚନ କମିଶନଙ୍କ ତଥ୍ୟରୁ ହସ୍ତଗତ ହୋଇଛି ।

ଆଜି ରାଜ୍ୟରେ ପ୍ରଥମ ପର‌୍ୟ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି। ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪%, କଳାହାଣ୍ଡିରେ ୬୮.୫୦%,କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪% ମତଦାନ ହୋଇଛି ।

ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ୫୪.୧୪% ଭୋଟ ପଡ଼ିଥିବାବେଳେ ଭବାନୀପାଟଣାରେ ୬୨.୦୨%, ବିଷମକଟରେ ୬୭.୯୯%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଦିଗପହଣ୍ଡିରେ ୬୨.୭୩%, ଗୁଣୁପୁରରେ ୫୭.୪୪%, ଜୟପୁରରେ୬୬.୫୮%, ଖଡ଼ିଆଳରେ ୭୨.୫୭%, ଜୋରାପୁଟରେ ୬୫.୬୭%, ଲକ୍ଷ୍ମୀପୁରରେ ୫୮.୬୬% ଓ ମାଲକାନଗିରି ବିଧାନସଭାରେ ୬୬.୬୦% ମତଦାନ ହୋଇଛି । ଏହି ମତଦାନ ହାର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହା ପରେ ମେ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ ଏହା ଅଧିନ ୩୫ ବିଧାନସଭା ସିଟରେ ମତଦାନ ହେବ । ନିର୍ବାଚନ ପ୍ରଚାରର ଶେଷ ତାରିଖ ମେ ୧୮ ରହିଛି ।