ଭୁବନେଶ୍ବର: ବିଜେପର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଗୁରୁତର । ଗତକାଲି ମତଦାନ ସରିବା ପରେ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଥିଲେ ପ୍ରଦୀପ । ତାଙ୍କ ପଞ୍ଜରାରେ ଗଭୀର ଆଘାତ ଲାଗିଛି । ପ୍ରଥମେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ସମର୍ଥକ କୌଣସି କାରଣକୁ ନେଇ ହାତାହାତି ହୋଇଥିଲେ । ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।
ପୋଲିସ ଶିବଶଙ୍କର ଦାସଙ୍କୁ ଥାନାରେ ଅଟକ ରଖିଛି । ଶିବଶଙ୍କରଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ପୋଲିସ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକମାନେ ହୋହଲ୍ଲା କରିଥିଲେ । ଶିବଶଙ୍କରଙ୍କ ସମର୍ଥକମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇ ନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ବିରୋଧୀଙ୍କ ଆକ୍ରମଣରେ ପ୍ରଦୀପ ଗୁରୁତା: ପଞ୍ଜରାରେ ଲାଗିଛି ଆଘାତ, ଏମ୍ସରେ ଭର୍ତ୍ତି
