ଗାଡ଼ି ଚେକିଂ କରିବାରୁ ରାଗି ଗଲେ ମନ୍ତ୍ରୀ, ଚଢ଼ା ଗଳାରେ ପୋଲିସ ସହ ହେଲେ କଥା


ବ୍ରହ୍ମପୁର: ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ ଓ ବ୍ଲକିଂ । ପୋଲିସ ଟିମ୍ ରାସ୍ତାରେ ଗାଡି ଅଟକାଇ ଚେକିଂ କରୁଛନ୍ତି । ନିର୍ବାଚନରେ ଟଙ୍କା କାରବାର ରୋକିବାକୁ ଏହି ଚେକିଂ ଓ ବ୍ଲକିଂ କରାଯାଉଛି । ହେଲେ ଏମିତି ଚେକିଂ, ବିଜେଡି ସରକାରରେ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ରଗାଇ ଦେଇଛି । ପୋଲିସ ତାଙ୍କ ଗାଡି ଚେକିଂ କରିବାକୁ ଅଟକାଇବାରୁ ମନ୍ତ୍ରୀ ବାବୁ ରାଗିଯାଇ ଚଢ଼ା ଗଳାରେ ପୋଲିସ ସହ କଥା ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ନିକଟରେ ଘଟିଛି ।
ଗତକାଲି ରାତିରେ ତନରଡା ନିକଟରେ ପୋଲିସ ଗାଡି ଚେକିଂ କରୁଥିଲ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ସେହି ରାସ୍ତା ଦେଇ ଯାଇଥିଲା । ପୋଲିସ ଗାଡିକୁ ଚେକିଂ ପାଇଁ ଅଟକାଇ ଥିଲା । ହେଲେ ମନ୍ତ୍ରୀ ହଠାତ୍ ଗାଡ଼ିରୁ ଓହ୍ଲାଇ ପଡ଼ି ପୋଲିସକୁ ଚଢ଼ା ଗଳାରେ ଗାଡି ଚେକିଂ କର ବୋଲି କହିଥିଲେ ।
ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୋଲିସ ବାବୁମାନେ ହୁଏତ ଡରି ଯାଇଥିଲେ । ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏନେଇ ପୋଲିସ କି ମନ୍ତ୍ରୀଙ୍କୁ ପ୍ରତିକ୍ରିୟା ମିଳିନାହିଁ । ଗାଡ଼ି ଚେକିଂ ବେଳେ ମନ୍ତ୍ରୀଙ୍କର ଏପରି ଗର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି ।