ତୃତୀୟ ପର୍ଯ୍ୟାୟରେ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି, ସନା ଓ ସୌମ୍ୟ ସବୁଠୁ ଧନୀ


ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି । ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ସବୁଠୁ ଧନୀ ପ୍ରାର୍ଥୀ । ସନାତନଙ୍କ ମୋଟ୍ ସଂପତ୍ତି ମୂଲ୍ୟ ହେଉଛି ୨୨୭ କୋଟି ୬୭ ଲକ୍ଷ ଟଙ୍କା । ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ବଡ ଧନୀ । ସୌମ୍ୟଙ୍କ ମୋଟ୍ ସଂପତ୍ତି ପରିମାଣ ହେଉଛି ୧୨୨ କୋଟି ୮୬ ଲକ୍ଷ ଟଙ୍କା । ନୟାଗଡ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ତୃତୀୟ ସର୍ବାଧିକ ଧନୀ । ତାଙ୍କର ମୋଟ୍ ସଂପତ୍ତିର ମୂଲ୍ୟ ହେଉଛି ୧୨୦ କୋଟି ୫୬ ଲକ୍ଷ ।

୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ଏମିତିକି ଜଣଙ୍କ ନାମରେ ଧର୍ଷଣ ମାମଲା ବି ଅଛି। କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ତୃତୀୟ ପର୍ଯ୍ୟାୟର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି ।

ମେ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏଥିରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ଛଅ ଲୋକସଭା ଏବଂ ଏହା ଅଧିନରେ ଥିବା ୪୨ ବିଧାନସଭା ସିଟରେ ନିର୍ବାଚନ ହେବ । ଏଥିରେ ବହୁତ ହେଭିୱେଟ୍ ନେତା ରହିଛନ୍ତି । ବିଜେପି ତରଫରୁ ମଇଦାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ରୁଦ୍ରନାରାୟଣ ପାଣି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ସମ୍ବିତ ପାତ୍ରଙ୍କ ପରି ନେତା ଲୋକସଭା ନିର୍ବାଚନର ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେଡିରୁ ଦଳୀୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ, ଦାସ, ଅରୂପ ପଟ୍ଟନାୟକ, ସଂତୃପ୍ତ ମିଶ୍ର ଆଦି ରହିଛନ୍ତି । ଏହି ପର୍ଯ୍ୟାୟରେ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।

ଏଥର ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଆରପାର ଲଢେଇ ହେଉଛି । ୨୫ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ସରକାର ଗଢିବାକୁ ଅଣ୍ଟା ଭିଡିଛି ବିଜେପି । ସେଥିପାଇଁ ମାଳ ମାଳ କେନ୍ଦ୍ରୀୟ ନେତା ଘନ ଘନ ଓଡିଶା ଗସ୍ତ କରି ପ୍ରଚାର ଜୋରସୋର କରୁଛନ୍ତି । ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି । ଦୁଇ ନେତାଙ୍କୁ ବାଦ୍ ଦେଲେ ଅନ୍ୟ ନେତା ନଜର ମଧ୍ୟ ଆସୁ ନାହାନ୍ତି ।