ବିଜେପିର ମିଛ ପ୍ରତିଶୃତିକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେଡି


ସମ୍ୱଲପୁର:ଭାରତୀୟ ଜନତା ପାର୍ଟି ଲୋକଙ୍କୁ ମିଥ୍ୟା ପ୍ରତିଶୃତିର ଧୁଆଁବାଣ ମାରେ । କାମ ନାହିଁ କେବଳ କାଠ କହି ପ୍ରଚାର କରେ । ଲୋକଙ୍କୁ ମିଛ କହି ଭୁଆଁ ବୁଲାଇବାର ପ୍ରକୃତି ବିଜେପି ଦଳର ନେତା କେବେ ଛାଡି ପାରିବେ ନାହିଁ । ଯାହା ବିଗତ ଓ ଚଳିତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ବିଜୁ ଜନତା ଦଳର ଅଭିଯୋଗକ୍ରମେ ବିଜେପିକୁ ବୁଦ୍ଧି ଦିଶିଛି । ଲୋକଙ୍କୁ ଚୂନା ଲଗେଇବା କଥାରେ ନିଜେ ଚୂନ ମାରିଛି ବିଜେପି ।
ପ୍ରକାଶ ଯେ ଗତ ୧୧ ତାରିଖ ଦିନ ବିଜେଡିର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟିଥିଲେ । ବିଜେପି ଦଳ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରି ସରକାରୀ କାନ୍ଥରେ ନିର୍ବାଚନୀ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ । ଏପରିକି ବିଜେପିର ମେନିଫେଷ୍ଟୋରେ ଲେଖାନଥିବା ପ୍ରତିଶୃତି ଗୁଡିକୁ ସମ୍ବଲପୁରବାସୀଙ୍କୁ ଭ୍ରମିତ କରିବାକୁ ଲେଖିଥିବା ଜଣାଇଥିଲେ । ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିବା ନେଇ ବିଜୁ ଜନତା ଦଳ ଲିଖିତ ଅଭିଯୋଗ କରିଥିଲା । ଯାହା ଭାରତୀୟ ଜନତା ପାର୍ଟିର ନେତାଙ୍କୁ ଭୟଭୀତ କରିଛି । କାର୍ଯ୍ୟାନୁଷ୍ଠାନ ଭୟରେ କାନ୍ଥ ମାନଙ୍କରେ ଲେଖାଥିବା ପ୍ରତିଶୃତିକୁ ନିଜେ ଚୂନମାରି ଲିଭେଇ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତୀୟ ଜନତା ପାର୍ଟି କିଛି କାମ କରି ନାହିଁ । କେବଳ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ରାଜନୀତି କରେ । ବିଗତ ନିର୍ବାଚନରେ ମଧ୍ୟ ଏଭଳି ରାଜନୀତି କରି ନିର୍ବାଚନୀ ବୈତରଣୀ ପାର କରିଥିଲା । କିନ୍ତୁ ଚଳିତ ନିର୍ବାଚନରେ ବିଜେପିର ଜାଲରେ ଜନତା ପଡିବେ ନାହିଁ । କେବଳ କାନ୍ଥରେ ନିର୍ବାଚନୀ ପ୍ରଚାର ଲେଖିବା କଥା ନୁହେଁ । ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ନେତା, କର୍ମୀମାନେ ସବୁ ସ୍ଥାନରେ ଏଭଳି ମିଛ କଥା କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅପପ୍ରୟାସ କରୁଛନ୍ତି । ଯିଏ ଓଲଟା ପ୍ରଶ୍ନ କରିବ ତାକୁ ନାଲିଆଖି ଦେଖାଉଛନ୍ତି । ଭାରତୀୟ ଜନତା ପାର୍ଟିର ଗୁଣ୍ଡାଗର୍ଦି, ଦାଦାଗିରି ଆଉ ବେଶୀ ଦିନ ଚଳିବ ନାହିଁ । ନିର୍ବାଚନରେ ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ । ଧର୍ମେନ୍ଦ୍ର ପ୍ରଧାନ ଭୋଟ ପାଇଁ ଲୋକଙ୍କୁ ମିଛ କଥା କହୁଛନ୍ତି । ଧରାପଡିଗଲେ ଦଳର ଅନ୍ୟ ନେତାଙ୍କ ମାଧ୍ୟମରେ ଗୋଟିଏ ମିଛକୁ ଲୁଚାଇବାକୁ ଆହୁରି ମିଛ କହୁଛନ୍ତି । ଏଥିପାଇଁ ସମ୍ବଲପୁରବାସୀ ତାଙ୍କୁ ଭଲଭାବରେ ଚିହ୍ନିସାରିଲେଣି । ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଥିବାରୁ ସମ୍ବଲପୁରବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ।