ପ୍ରତାପ ନନାଙ୍କୁ ଲେଖାଶ୍ରୀଙ୍କ ତିନିଟି ପ୍ରଶ୍ନ, କାହିଁକି ଖର୍ଚ୍ଚ କଲନି ଏମପି ଲ୍ୟାଡ ଟଙ୍କା ?


ନୀଳଗିରି: ବାଲେଶ୍ବରରେ ପ୍ରଚାର ଯେତେ ଜୋର ଧରୁଛି ବାକଯୁଦ୍ଧ ମଧ୍ୟ ସେମିତି ଟପରେ ରହିଛି । ଏଠାରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଚଳିତ ନିର୍ବାଚନରେ ପୁଣି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିରୁ ବିଜେଡିକୁ ଡେଇଁ ଥିବା ଲେଖାଶ୍ରୀ ସାମନ୍ତସିଂହାର । ମୈଦାନରେ ପ୍ରଚାର ଯେତିକି ସରଗରମ ନାହିଁ, ଦୁଇ ଦଳର ହେବିଓ୍ବେଟ ନେତାଙ୍କ ଆରୋପ ପ୍ରତ୍ୟୋରୋପ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ।
ଜୁନ ୧ରେ ଏଠାରେ ଭୋଟ ପଡ଼ିବ । ଏହା ପୂର୍ବରୁ ଲେଖାଶ୍ରୀ ପ୍ରତାପଙ୍କ ମଧ୍ୟରେ ବୟାନବାଜି ତେଜିଛି । ନୀଳଗିରି ବିଜେଡି ପକ୍ଷରୁ ଈଶ୍ୱରପୁର ଖେଳପଡିଆରେ ଅନୁଷ୍ଠିତ ଏକ ସଭାରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ବର୍ଷିଥିବା ବେଳେ ଲେଖାଶ୍ରୀ ଖୋଲାମଞ୍ଚରେ କହିଛନ୍ତି ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ନୁହେଁ ନବୀନ ଇଞ୍ଜିନ ଦରକାର ।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲେଖାଶ୍ରୀଙ୍କୁ ଟାର୍ଗେଟ କରି ତିନୋଟି ପ୍ରଶ୍ନ ପଚାରିଥିବା ବେଳେ ନୀଳଗିରି ମଞ୍ଚରେ ଏହାର ଜବାବରେ ସ୍ମୃତି ଇରାନୀଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି ଲେଖାଶ୍ରୀ । ବାଲେଶ୍ୱରରେ ଜଣେ ମହିଳାଙ୍କୁ ଟିକେଟ କାହିଁକି ଦେଲନି ? କ’ଣ ମହିଳାଙ୍କୁ ଯୋଗ୍ୟ ଭାବୁନି ବିଜେପି ? ନନା (ପ୍ରତାପ ଷଡଙ୍ଗୀ)ଙ୍କୁ କାହିଁକି ମନ୍ତ୍ରୀ ପଦରୁ ଗୋଟିଏ ବର୍ଷରେ ବାହାର କରିଦିଆଗଲା ? ପ୍ରତାପ ଷଡଙ୍ଗୀ ଏମପି ଲ୍ୟାଡ ଟଙ୍କା କାହିଁକି ଖର୍ଚ୍ଚ କରିପାରିନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ସୂଚନାଯାଗ୍ୟ, ଏହା ପୂର୍ବରୁ ପ୍ରତାପ ନନାଙ୍କ ପାଇଁ ବିଜେପିର ହାଇଭୋଲଟେଜ ନେତ୍ରୀ ସ୍ମୃତି ଇରାନୀ ପ୍ରଚାର କରିବାକୁ ଆସିଥିଲେ । ଏହି ପ୍ରଚାର ସମୟରେ ପ୍ରତାପ ଷଡଙ୍ଗୀ ଲେଖାଶ୍ରୀଙ୍କ ଅଡିଓ ବଜାଇ ଥିଲେ । ଏଥିରେ ସେ ସମୟରେ ଲେଖାଶ୍ରୀ ବିଜେଡିକୁ ନେଇ କରିଥିବା ସମାଲୋଚନା ଓ କଟାକ୍ଷ ଥିଲା । ମଞ୍ଚରୁ ଉପସ୍ଥିତ ଜନତାଙ୍କୁ ନନା ଅଡିଓ ଶୁଣାଇବା ପରେ ସ୍ମୃତି ଇରାନୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ସେ ଲେଖାଶ୍ରୀଙ୍କୁ କଟୁ ସମାଲୋଚନା କରିବା ସହ ଟପବାଲୀ ଦିଦି କହି ଆକ୍ଷେପ କରିଥିଲେ ।