ECIଙ୍କୁ ପାଣ୍ଡିଆନଙ୍କ ସମାଲୋଚନାର ଜବାବ ଦେଲା ବିଜେପି; କହିଲା- ନିଜ ପ୍ରକୃତିର ଲୋକଙ୍କୁ ସମର୍ଥନ ଦେଉଛନ୍ତି


ଭୁବନେଶ୍ବର: ନିର୍ବାଚନରେ ବିଜେପି ପାଇଁ କାମ କରୁଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଆଇପିଏସ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଥିଲେ ECI । ଯାହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ କହି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ଭି.କେ. ପାଣ୍ଡିଆନ ସମାଲୋଚନା କରିଥିଲେ । ବିଜେପି ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ଅଭିଯୋଗ କରିଥିଲେ । ଯାହାର ଜବାବ ବିଜେପି ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛି ବିଜେପି । ୨ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ECIର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତଯୋଗ୍ୟ ବୋଲି ଏହି ପ୍ରେସମିଟରେ କହିଛନ୍ତି ଭର୍ତ୍ତୃହରି ମହତାବ । ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି, ଅତ୍ୟନ୍ତ ଗୁରୁତର କଥା । ECI ନିଶ୍ଚିତ କିଛି ପ୍ରମାଣ ପାଇଛନ୍ତି, ତେଣୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ କହିଛନ୍ତି ।
ଆଗକକୁ ସେ କହିଛନ୍ତି, କିଛି ଅଫିସର ମିଶି ଓଡ଼ିଶାବାସୀଙ୍କୁ ଉତ୍ପୀଡ଼ନ କରୁଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଅଫିସର ବାଦ୍ ପଡ଼ିବେନି । ବିଜେପି କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ବର୍ତ୍ତମାନ ବି ସମୟ ଅଛି, ସତର୍କ ହୋଇଯାଆନ୍ତୁ ।
ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରି, ଯେଉଁ ପ୍ରକୃତିର ସେ (ପାଣ୍ଡିଆନ) ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି ।