ବାରିପଦା: ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ଅସୁସ୍ଥ ହୋଇପଡ଼ିଲେ ସାମ୍ୱାଦିକ । ଏହାଦେଖି ଭାଷଣକୁ ଅଧାରୁ ବନ୍ଦ କରି ଚିକିତ୍ସା ପାଇଁ ନିଜ ମେଡ଼ିକାଲ୍ ଟିମ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ଦାୟୀତ୍ୱରେ ଥିବା ମେଡ଼ିକାଲ୍ ଟିମ୍ ଅସୁସ୍ଥ ସାମ୍ୱାଦିକଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେଇଥିଲେ।
ବାରିପଦାର ଐତିହାସିକ ଛଉ ପଡ଼ିଆରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା । ନିର୍ଦ୍ଧାରିତ ସମୟରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଝଲକ ଟିକେ ପାଇବା ପାଇଁ ସଭାରେ ଖଚାଖଚ୍ ଭିଡ ହୋଇଥିଲା ।
ସ୍ୱାଗତ ଉତ୍ସବ ପରେ ଭାଷଣ ଦେବା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଷଣ ଚାଲିଥିବା ଜଣେ ଗଣମାଧ୍ୟମ ପ୍ରତିନିଧି ଦୋଳଗୋବିନ୍ଦ ବାରିକ ହଠାତ୍ ଚେତା ହରାଇ ତଳେ ପଡ଼ିଯାଇଥିଲେ । ଏହାଦେଖି ଭାଷଣକୁ ଅଧାରୁ କିଛି ସମୟ ପାଇଁ ବନ୍ଦ କରି ସାମ୍ୱାଦିକ ଭାଇଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇବା ପାଇଁ ଅପିଲ୍ କରିଥିଲେ । ମୋଦିଙ୍କ ଅପିଲ ପରେ ସାମ୍ବାଦିକଙ୍କ ପାଖରେ ପହଞ୍ଚି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ମେଡ଼ିକାଲ୍ ଟିମ୍ ।
ପ୍ରାଥମିକ ଚିକିତ୍ସା ପରେ ଦୋଳଗୋବିନ୍ଦଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ଅଂଶୁଘାତ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି।
ସଭାରେ ଅସୁସ୍ଥ ସାମ୍ବାଦିକଙ୍କୁ ଚିକିତ୍ସା ସେବା ଯୋଗାଇଲେ ପ୍ରଧାନମନ୍ତ୍ରୀ ମୋଦି
