ଉଗ୍ର ହେଲା ଜମି ବିବାଦ: ପୋଲିସ ଗାଡି ଭଙ୍ଗାରୁଜା, ତିନି ପୋଲିସ କର୍ମୀ ଆହତ


ବାରିପଦା: ଜମିବାଡ଼ି ବିବାଦକୁ ନେଇ ପୋଲିସକୁ ଆକ୍ରମଣ । ପଥର ମାଡ଼ରେ ତିନି ପୋଲିସ କର୍ମଚାରୀ ଆହତ । ଏପରିକି ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ । ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ ବେତନଟୀ ଏସଡିପିଓଙ୍କ ମୁଣ୍ଡ ଫାଟି ଥିବା ବେଳେ ବଡ଼ସାହି ଆଇଆଇସି ଓ ଜଣେ ମହିଳା ସବଇନ୍ସପେକ୍ଟର ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡ଼ସାହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବାରିପଦାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବେଲପାଳ ଗାଁର ଜଣେ ବ୍ୟକ୍ତି ଫ୍ଲାଏ ଆସ ଫ୍ୟାକ୍ଟ୍ରିର ଋଣ ଶୁଝି ନପାରିବାରୁ ଏହାକୁ ବ୍ୟାଙ୍କ ନିଲାମ ଦେଇଥିଲା । ସେହି ଗାଁର ଜଣେ ବ୍ୟକ୍ତି ନିଲାମ ନେଇ ଉକ୍ତ ଫ୍ୟାକ୍ଟ୍ରି ଚଳାଉଥିଲେ । ଋଣ ଖିଲାପକାରୀ କୋର୍ଟଙ୍କ ଆଶ୍ରୟ ନେବା ପରେ ଏହି ମାମଲା ବିଚାରାଧୀନ ରହିଛି । ରାୟ ପ୍ରକାଶ ପାଇବା ଯାଏଁ ପୂର୍ବ ମାଲିକଙ୍କୁ ଦଖଲ ଆଦେଶ ସହ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ବୁଧବାର ଫ୍ୟାକ୍ଟ୍ରି ଦଖଲକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ମାରପିଟ ହୋଇଛି । ଏଥିରେ ଜଣେ ଗୁରୁତର ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ଢେଲା ପଥର ମାରି ଆକ୍ରମଣ କରିଥିଲେ ଲୋକେ ।