ଛୁରି ଭୁଷି ଲୁଟି ନେଲେ ଟଙ୍କା, ସୁନା


ବୌଦ୍ଧ: ଘରେ ପଶି ଲୁଟିଲେ । ପ୍ରତିବାଦ କରିବାକୁ ଛୁରି ଭୁଷିଲେ । ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁରି ଥାନା ବାଦିକଟା ଗାଁରେ । ଲୁଟେରା ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏପଟେ ଘର ମାଲିକ ଲୁଟେରାଙ୍କ ଛୁରା ମାଡ଼ରେ ଗରୁତର ଆହତ ହୋଇ ବୁର୍ଲାରେ ଭର୍ତ୍ତି ହାଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ବାଳକୃଷ୍ଣ ମହାକୁଡ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଲୁଟେରାମାନେ ବାଳକୃଷ୍ଣଙ୍କ ଘରୁ ଟଙ୍କା ସୁନା ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ବାଳକୃଷ୍ଣଙ୍କ ନିଦ ଭାଙ୍ଗି ଯାଇଥିଲା । ଚୋର ଚୋର ବୋଲି ବଡ଼ ପାଟି କରି ବାଳକୃଷ୍ଣ ଡାକ ପକାଇଥିଲେ । ଧରା ପଡ଼ିଯିବା ଭୟରେ ଲୁଟେରାମାନେ ତାଙ୍କୁ ଛୁରାମାଡ଼ କରିବା ସହ ଟଙ୍କା, ସୁନା ନେଇ ଚମ୍ପଟ ମାରିଥିଲେ ।

ପରିବାର ଲୋକେ ବାଳକୃଷ୍ଣଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବୁର୍ଲା ସ୍ଥାନାନ୍ତର ଏନେଇ ବାଳକୃଷ୍ଣଙ୍କୁ ପରିବାର ପକ୍ଷରୁ ବାଉଁଶୁଣି ଥାନା ଅଭିଯୋଗ କରାଯାଇଛି । ଅଭିଯୋଗ ମିଳିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।